ଅତ୍ୟାଧୁନିକ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦର : ବିନିଯୋଗ ହେବ ୧୦୨୩ କୋଟି

0
1002
bbsr airport
bbsr airport

ଭୁବନେଶ୍ୱର : ଅତ୍ୟାଧୁନିକ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ବିନିଯୋଗ ହେବ ୧୦୨୩ କୋଟି ଟଙ୍କା ।  ଏନେଇ ଡିପିଆର ପ୍ରସ୍ତୁତ ହୋଇ ସାରିଥିବା ବେଳେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ପଠାଯିବ । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ କାମ ଆରମ୍ଭ ହେବ ।

ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅତ୍ୟାଧୁନିକ ଓ ଦେଶର ଶ୍ରେଷ୍ଠ ବିମାନବନ୍ଦରରେ ସାମିଲ କରାଯିବାକୁ ଉଦ୍ୟମ କରାଯାଉଛି । ବିମାନବନ୍ଦରର ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦୨୩ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବିମାନବନ୍ଦରର ଟର୍ମିନାଲ-୧ ଓ ଟିର୍ମିନାଲ-୨ ପାଇଁ ବାର୍ଷିକ ୨.୫ ମିଲିଅନ ଯାତ୍ରୀ ଯାତାୟତ କରିବା ଭଳି ବ୍ୟବସ୍ଥା ଥିବା ବେଳେ ୨୦୧୭ରେ ୩୬ ପ୍ରତିଶତ ଯାତ୍ରୀ ଯାତାୟତ ବୃଦ୍ଧି ପାଇଛି ।  ଦେଶର ପ୍ରମୁଖ ବିମାନବନ୍ଦର ମଧ୍ୟରେ ଭୁବନେଶ୍ୱର ଥିବାରୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଟି-୧ ଟର୍ମିନାଲ ନିକଟରେ ଟି-୩ ଟର୍ମିନାଲ ନିର୍ମାଣ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହା ସଂମ୍ପୂର୍ଣ୍ଣ ରୂପେ ଶୀତତାପ ନିୟନ୍ତ୍ରିତ ଏବଂ ଅତ୍ୟାଧୁନିକ ସୁବିଧା ଯୁକ୍ତ ହେବ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ଟି-୧ ଟର୍ମିନାଲ ଠାରୁ ବଡ଼ ହେବାକୁଥିବା ୫୮୦୦୦ ବର୍ଗମିଟର ପ୍ରକଳ୍ପରେ ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗ ହେବ । ଏହି ଟର୍ମିନାଲରେ ବାର୍ଷିକ ଯାତ୍ରୀ ଯାତାୟତ କ୍ଷମତା ୬ ମିଲିଅନ ରହିବ । ସବୁଠାରୁ ବଡ଼ କଥା ହେଲା ଯେ, ଏକ ସଙ୍ଗେ ଘଣ୍ଟାକୁ ୨୯୦୦ ଯାତ୍ରୀ ଯାତାୟତ କରିପାରିବେ ।  ପ୍ରକଳ୍ପ ପାଇଁ ୯ଟି ଏ-୩୨୦ ଏୟାରବସ ବିମାନ ପାର୍କିଂ କରିବା ଭଳି ବ୍ୟବସ୍ଥା କରାଯିବ ।