ଅପରେସନ ‘ଅଲଆଉଟ୍’ : ୪ ଆତଙ୍କୀ ନିହତ

0
960
forces fighting terrorists
forces fighting terrorists

ଜାମ୍ମୁ : ଜାମ୍ମୁ ଓ କାଶ୍ମୀରରେ ଅପରେସନ ଅଲଆଉଟରେ ଭାରତୀୟ ସୁରକ୍ଷା ଯବାନ ୪ ଜଣ ଆତଙ୍କବାଦୀକୁ ନିହତ କରିଛନ୍ତି। ମୃତ ଆତଙ୍କବାଦୀଙ୍କଠୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହା ସହିତ ବିପୁଳ ମାତ୍ରାରେ  ଆଇଇଡି ଜବତ କରାଯାଇଛି।

ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଅଲଆଉଟରେ ଜୁଟିଥିବା ଭାରତୀୟ ସୁରକ୍ଷାବଳର ଯବାନଙ୍କୁ ରାଜୌରୀ ଜିଲ୍ଲାର ସୁନ୍ଦରବନୀରେ ବଡ଼ ସଫଳତା ମିଳିଛି। ଆତଙ୍କବାଦୀଙ୍କ ସହିତ ହୋଇଥିବା ଗୁଳି ବିନିମୟରେ ଭାରତୀୟ ସୁରକ୍ଷା ଯବାନ ୪ ଜଣ ଆତଙ୍କବାଦୀକୁ ନିହତ କରିଛନ୍ତି। ରାଜୌରୀ ଜିଲ୍ଲା ଅଧିକାରୀ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି। ରାଜୌରୀରେ ବୁଧବାର ସକାଳୁ ସୁରକ୍ଷାବଳ ଓ କିଛି ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।  ଏହି ଚାରି ଜଣ ଆତଙ୍କବାଦୀ ପାଞ୍ଚ ଦିନ ପୂର୍ବେ ଏଲଓସିରେ ଅନୁପ୍ରବେଶ କରିଥିଲେ ଓ ଅନେକ ଦିନର ସର୍ଚ୍ଚ ଅପରେସନ ପରେ ଏହି ଆତଙ୍କବାଦୀଙ୍କ ସନ୍ଧାନ ମିଳିଥିଲା। ଏହା ସହିତ ଅଧିକାରୀ ସିଆରପିଏଫ ଶିବିର ଉପରେ ଆତଙ୍କୀ ଆକ୍ରମଣକୁ ଖାରଜ କରିଛନ୍ତି। ମାତ୍ର ସୁରକ୍ଷା ଦୃଷ୍ଟି କୋଣରୁ ସ୍ଥାନୀୟ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାର ଆଦେଶ ଦିଆଯାଇଛି।

ସୂଚନା ମୁତାବକ ସୁନ୍ଦରବନୀ ଜଙ୍ଗଲରେ ଆତଙ୍କୀ ଛପି ରହିଥିବାର ସୂଚନା ମିଳିବା ପରେ ବଡ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହା ପରେ ଜଙ୍ଗଲରେ ଛପି ରହିଥିବା ଆତଙ୍କୀକୁ ଚାରି ଆଡୁ ଘେରା ଯାଉଥିବା ଦେଖି ଆତଙ୍କୀ ଖସି ଯିବାକୁ ଚେଷ୍ଟା କରିଥିଲେ, ମାତ୍ର ସୁରକ୍ଷାବଳଙ୍କ ଗୁଳିରେ ଚାରି ଜଣ ଆତଙ୍କୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କଠୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହା ସହିତ ବିପୁଳ ମାତ୍ରାରେ  ଆଇଇଡି ଜବତ କରାଯାଇଛି।  କୁହାଯାଉଛି ଯେ ପଳାୟନ କରୁଥିବା ସମୟରେ ଆତଙ୍କୀ ଆଇଇଡିରେ ଭର ବ୍ୟାଗଟିକୁ ଛାଡି ଦେଇଥିଲେ। ପୁରା ଇଲାକାରେ ବଡ ଧରଣର ଅପରେସନ ଏବେ ଜାରି ରହିଛି। ଏହି ଅପରେସନରେ ୬୧ ରାଷ୍ଟ୍ରୀୟ ରାଇଫଲ୍ସ, ୧୩ ପଞ୍ଜାବ, ୬ ଜଟ, ୧୨୬ ବାଟାଲିୟନର ବିଏସଏଫ ଏବଂ ୭୨ ବାଟାଲିୟନ ସିଆରପିଏଫ ସହିତ ଜାମ୍ମୁ ଓ କାଶ୍ମୀରର ଏସଓଜି ସାମିଲ ଥିଲେ।