ଲକ୍ଷ୍ନୌ: ଅର୍ଥ ଲୋଭରେ ଆଇଏସଆଇକୁ ସୂଚନା ଦେଲା ପାକିସ୍ତାନସ୍ଥିତ ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ଘରେ କାମ କରୁଥିବା ରୋଷେୟା। ମଙ୍ଗଳବାର ରାତିରେ ତାଙ୍କୁ ଗିରଫ କରାଯାଇଛି।
ପ୍ରାୟ ଦୁଇ ବର୍ଷ ହେବ ପାକିସ୍ତାନସ୍ଥିତ ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ଘରେ ରୋଷେୟା ରୂପେ କାମ କରୁଥିବା ଉତ୍ତରାଖଣ୍ଡ ଅନ୍ତର୍ଗତ ପିଥୋରାଗଡ଼ର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ଗିରଫ କରାଯାଇଛି। ସେ ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍ସ୍ (ଆଇଏସ୍ଆଇ) ପାଇଁ କାମ କରୁଥିଲେ ଏବଂ ଅର୍ଥ ପାଇଁ ଗୋପନୀୟ ତଥ୍ୟ ଯୋଗାଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଉତ୍ତର ପ୍ରଦେଶର ଆଣ୍ଟି-ଟେରର୍ ସ୍କ୍ଵାଡ୍ (ଏଟିଏସ୍), ମିଲିଟାରି ଇଣ୍ଟେଲିଜେନ୍ସ୍ ଏବଂ ଉତ୍ତରାଖଣ୍ଡ ପୁଲିସଙ୍କର ମିଳିତ ଅଭିଯାନରେ ୩୫ ବର୍ଷିୟ ରମେଶ ସିଂହ ନାମକ ସେ ରୋଷେୟାଙ୍କୁ ପିଥୋରାଗଡ଼ ଅନ୍ତର୍ଗତ ଗରଲି ଗାଁ’ରେ ଥିବା ତାଙ୍କ ଘରୁ ଗିରଫ କରାଯାଇଛି। ସିଂହ ଭାରତୀୟ ପ୍ରତିରକ୍ଷା ବିଭାଗରେ କାମ କରୁଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରି ଆଇଏସ୍ଆଇକୁ ସହାୟତା କରିବାକୁ ନିଜ ଘରେ ସୂକ୍ଷ୍ମ ମାଇକ୍ରୋଫୋନ୍ ଆଦି ରଖିଥିଲେ। ତାଙ୍କ ବଡ଼ଭାଇ ଭାରତୀୟ ସେନାବାହିନୀରେ କାମ କରୁଛନ୍ତି। ବୁଧବାର ଦିନ ସିଂହଙ୍କୁ ପିଥୋରାଗଡ଼ ଅଦାଲତରେ ହାଜର କରାଯିବା ପରେ ଟ୍ରାନ୍ଜିଟ୍ ରିମାଣ୍ଡ୍ରେ ଲକ୍ଷ୍ନୌକୁ ନିଆ ଯାଇଛନ୍ତି। ଉତ୍ତର ପ୍ରଦେଶ ଏଟିଏସ୍ର ଆଇଜି ଅସିମ ଅରୁଣ କହନ୍ତି ଯେ ଏହି ମାମଲାରେ ଉତ୍ତରାଖଣ୍ଡ ଡିଜିପି କିଛି ମାସ ତଳେ ତାଙ୍କ ସହାୟତା ଚାହିଁଥିଲେ। ଏଥିପାଇଁ ମିଲିଟାରି ଇଣ୍ଟେଲିଜେନ୍ସ୍ ଡାଇରେକ୍ଟୋରେଟ୍ଙ୍କୁ ମଧ୍ୟ ଡକା ଯାଇଥିଲା।
ପାକିସ୍ତାନରେ ରୋଷେୟା ଭାବେ କାମ କରିବାକୁ ସିଂହଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କହିବା ପୂର୍ବରୁ ସେ ଚାଷବାସ କରୁଥିଲେ। ତା’ପରେ ସେ ଜଣେ ଘରୋଇ ସହାୟକ ଭାବେ ୨୦୧୫ ମଧ୍ୟ ଭାଗରୁ ସେପ୍ଟେମ୍ବର ୨୦୧୭ ଯାଏଁ ପାକିସ୍ତାନସ୍ଥିତ ଭାରତୀୟ ପ୍ରତିରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ପାଖରେ କାମ କରିଥିଲେ। ତା’ପରେ ସିଂହ ଆଇଏସ୍ଆଇ ସଂସ୍ପର୍ଶରେ ଆସିଥିଲେ। କୂଟନୀତିଜ୍ଞଙ୍କ ଘରୁ ଗୋପନୀୟ ସୂଚନା ଦେବା ପାଇଁ ସେମାନେ ତାଙ୍କୁ ଅର୍ଥ ଯାଚି ଥିଲେ। ସିଂହ ସେମାନଙ୍କୁ ଏକ ଡାଏରି ଏବଂ କିଛି ଦଲିଲ ଦେଇଛନ୍ତି ବୋଲି କୁହାଯାଉଛି।