ଆମ ଗାଁ ଆମ ବିକାଶ: ୩୦ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ

0
898
Naveen patnaik
Naveen patnaik
ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର  ୩୦ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ସରପଂଚମାନଙ୍କଠାରୁ ପଂଚାୟତ ଭିତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାର ବାରୋ, ଅନୁଗୁଳର ସାନତ୍ରିବିଡା , ଝାରସୁଗୁଡାର କୁଡାଲୋଇ ଓ କନ୍ଧମାଳ ଜିଲ୍ଲାର ଗୁଦାରୀ ପଂଚାୟତ ପାଇଁ ୧କୋଟି ୪୦ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହ ମଂଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ କେନ୍ଦ୍ରାପଡାର ବାରୋରେ ୩୫ ଲକ୍ଷ ଟଙ୍କାରେ ୭ଟି, ଅନୁଗୁଳ ଜିଲ୍ଲାର ସାନତ୍ରିବିଡା ଗ୍ରାମ ପଂଚାୟତରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ୮ଟି, ଝାରସୁଗୁଡାର କୁଡାଲୋଇରେ ୩୫ ଲକ୍ଷ ଟଙ୍କାରେ ୯ଟି ଏବଂ କନ୍ଧମାଳ ଜିଲ୍ଲାର ଗୁଦାରୀ ପଂଚାୟତ ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି ।

ଭିଡ଼ିଓ କନଫରେନସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଂଚାୟତ ଗୁଡ଼ିକର ସରପଂଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନା କରିବା ପାଇଁ କହିଥିଲେ ଏବଂ ସେମାନଙ୍କଠାରୁ ପଂଚାୟତ ଭିତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ । ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଅଂଚଳର ନିର୍ବାଚିତ ପ୍ରତିନିଧି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।