ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ କୋରାପୁଟ ଜିଲ୍ଲାର ସୁବାଇ ଗ୍ରାମ ପଂଚାୟତର ୩୯ ଲକ୍ଷ ଟଙ୍କାରେ ୯ଟି , ଯାଜପୁର ଜିଲ୍ଲାର ରସୁଲପୁର ଗ୍ରାମ ପଂଚାୟତର ୩୭ ଲକ୍ଷ ଟଙ୍କାରେ ୯ଟି , ସମ୍ବଲପୁର ଜିଲ୍ଲାର ଭୋଜପୁର ଗ୍ରାମ ପଂଚାୟତର ୩୫ ଲକ୍ଷ ଟଙ୍କାର ୮ଟି ଓ ଗଂଜାମ ଜିଲ୍ଲର ବବନପୁର ଗ୍ରାମପଂଚାୟତର ୩୩ ଲକ୍ଷ ଟଙ୍କାରେ ୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ଭିଡିଓ କନଫରେନ୍ସିଂ ଦ୍ୱାରା ମୁଖ୍ୟମନ୍ତ୍ରୀ ପ୍ରଥମେ ଉପରୋକ୍ତ ଗ୍ରାମ ପଂଚାୟତ ଗୁଡିକର ସରପଂଚ ମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନା କରିବାପାଇଁ କହିଥିଲେ ଏବଂ ସେମାନଙ୍କ ଠାରୁ ପଂଚାୟତ ଭିତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବ ଗୁଡିକୁ ବିଚାର କରି ତୁରନ୍ତ ମଂଜୁରୀ ପ୍ରଦାନ କରିଥିଲେ । ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ଦିନ ବିଭିନ୍ନ ପଂଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଂଚଳର ନିର୍ବାଚିତ ପ୍ରତିନିଧି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ ।