ଆଜି ବାଲେଶ୍ୱର ଜିଲ୍ଲାର ଅଡ଼ା ଗ୍ରାମ ପଂଚାୟତ, ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲୀ ଗ୍ରାମ ପଂଚାୟତ, ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଓ ପୁରୀ ଜିଲ୍ଲାର ବଳଙ୍ଗା ଗ୍ରାମ ପଂଚାୟତ ପାଇଁ ୧କୋଟି ୫୭ ଲକ୍ଷ ଟଙ୍କାର ୪୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଅଡ଼ା ଗ୍ରାମ ପଂଚାୟତର ୩୭ ଲକ୍ଷ ଟଙ୍କାରେ ୮ଟି, ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲୀ ଗ୍ରାମ ପଂଚାୟତର ୪୦ ଲକ୍ଷ ଟଙ୍କାରେ ୯ଟି, ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଗ୍ରାମ ପଂଚାୟତର ୪୦ ଲକ୍ଷ ଟଙ୍କାରେ ୧୦ଟି ଏବଂ ପୁରୀ ଜିଲ୍ଲାର ବଳଙ୍ଗା ଗ୍ରାମ ପଂଚାୟତର ୪୦ ଲକ୍ଷ ଟଙ୍କାରେ ୧୬ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।
ଭିଡ଼ିଓ କନଫରେନସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଂଚାୟତ ଗୁଡ଼ିକର ସରପଂଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନା କରିବା ପାଇଁ କହିଥିଲେ ଏବଂ ସେମାନଙ୍କ ଠାରୁ ପଂଚାୟତ ଭିତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବ ଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ । ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନାଯୋଗ୍ୟ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇ ଦିନ ବିଭିନ୍ନ ପଂଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସଂପର୍କରେ ଆଲୋଚନା କରୁଛନ୍ତି ।