ଆଲୋଚନା ପାଇଁ ରାଜି ହେଲେ ଉତ୍ତର କୋରିଆ ଓ ଆମେରିକା

0
911

ନୂଆଦିଲ୍ଲୀ: କିଛି ମାସ ଧରି ଆମେରିକା ଓ ଉତ୍ତର କୋରିଅ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ଚରମା ସୀମାରେ ପହଞ୍ଚିବା ପରେ ଉଭୟ ପକ୍ଷ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଆସନ୍ତା ମେ’ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍ ଜଙ୍ଗ ଉନଙ୍କ ମଧ୍ୟରେ କଥାବାର୍ତ୍ତା ହେବାର ସମ୍ଭାବନା ଅଛି। ତେବେ ଆଲୋଚନା ଲାଗି ନିର୍ଦ୍ଦିଷ୍ଟ ସମୟ କିମ୍ବା ସ୍ଥାନ ନିର୍ଦ୍ଧାରିତ ହୋଇନାହିଁ।  ସବୁ ପ୍ରକାର ଆଣବିକ କାର୍ଯ୍ୟକ୍ରମ ସହିତ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ କରିବାକୁ ଉତ୍ତର କୋରିଆ ରାଜି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଆଲୋଚନା କରିବା ପାଇଁ ସହମତ ହୋଇଛନ୍ତି। ଉତ୍ତର କୋରିଆ ଦ୍ୱାରା ହାଇଡ୍ରୋଜେନ ବମ୍‌ ଓ ଇଣ୍ଟରକଣ୍ଟିନାଲ ମିସାଇଲ ପରୀକ୍ଷଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ସେହି ଇଣ୍ଟରକଣ୍ଟିନାଲ ମିସାଇଲ ମାଧ୍ୟମରେ ଆମେରିକାର ସବୁ ସହରକୁ ବୋମା ନିକ୍ଷେପର କ୍ଷମତା ରହିଛି। କିମ୍ ଓ ଟ୍ରମ୍ପ ପରସ୍ପରକୁ ଆଣବିକ ଆକ୍ରମଣର ଧମକ ବି ଦେଇଥିଲେ।  ତେବେ କିଛି ଦିନ ତଳେ କିମ୍ ଜଙ୍ଗ୍ ଉନ୍ କହିଥିଲେ, ସୁରକ୍ଷାର ପ୍ରତିଶ୍ରୁତି ମିଳିଲେ ଆଣବିକ କାର୍ଯ୍ୟକ୍ରମକୁ ବନ୍ଦ ରଖିବେ। ଏହାପରେ ଆମେରିକା ମଧ୍ୟ ନରମ ମନୋଭାବ ପୋଷଣ କରିଛି।  ଏବଂ କିମ୍ ଜଙ୍ଗଙ୍କୁ ଭେଟିବାକୁ ରାଜି ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ।  ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଏହି ଆଲୋଚନାର ପ୍ରସ୍ତାବ ସାରା ବିଶ୍ୱବାସୀଙ୍କୁ ଆଶ୍ୱସ୍ତ କରିଛି।