ଆଳୁ ଉତ୍ପାଦନ ତଥ୍ୟରେ ତାଳମେଳ ନାହିଁ

0
949
potato
potato

ଆଳୁ ଉତ୍ପାଦନ ତଥ୍ୟରେ ତାଳମେଳ ରହୁନାହିଁ। ଓଡ଼ିଶାରେ ଚାଷୀ କ୍ଷେତରେ ଫଳୁଥିବା ଆଳୁ ଓ ସରକାରୀ ଖାତାରେ ଥିବା ଆଳୁ ଉତ୍ପାଦନ ହିସାବ ଭିତରେ ଆକାଶ-ପାତାଳ ଫରକ୍ । କେବଳ ସେତିକି ନୁହେଁ ବିଧାନସଭାରେ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ବଷର୍ଓାରୀ ଆଳୁ ଉତ୍ପାଦନ ସଂକ୍ରାନ୍ତୀୟ ତଥ୍ୟରେ ବି ୫ ଗୁଣ ପର୍ୟ୍ୟନ୍ତ ତଫାତ୍ ରହୁଛି । ଏଥିରୁ କ୍ଷେତ ଆଳୁ ଓ ଖାତା ଆଳୁ ଭିତରୁ କେଉଁଟି ଠିକ୍ ସେଥିଘେନି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

 

ବିଧାନସଭାରେ ଗତ ୫ ବର୍ଷ ମଧ୍ୟରେ କେତେ ଆଳୁ ଉତ୍ପାଦିତ ହୋଇଛି ସେହି ବିଷୟରେ ତଥ୍ୟ ରଖୀ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କହିଥଲେ ଯେ ୨୦୧୧-୧୨ ବର୍ଷରେ ରାଜ୍ୟରେ ୨,୦୧,୦୪୯ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦିତ ହୋଇଥିବା ବେଳେ ଏହାର ପରିମାଣ ୨୦୧୨-୧୩ ବର୍ଷରେ ଥିଲା ୨,୦୧,୦୬୩ ମେଟ୍ରିକ୍ ଟନ୍ । ୨୦୧୩-୧୪ ବର୍ଷରେ ରାଜ୍ୟରେ ୨,୪୯,୭୫୯ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦିତ ହୋଇଥିବା ବେଳେ ୨୦୧୪-୧୫ରେ ୨,୬୮,୪୮୯ ମେଟ୍ରିକ୍ ଟନ୍ ଓ ୨୦୧୫-୧୬ରେ ୨,୭୮,୭୪୭ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦିତ ହୋଇଥିଲା ।

ଅନ୍ୟପକ୍ଷରେ ବିଧାନସଭାର ଚଳିତ ବଜେଟ୍ ଅଧିବେଶନ ସମୟରେ ଉପସ୍ଥାପିତ ଓଡ଼ିଶା ଆର୍ଥୀକ ସର୍ଭେ ୨୦୧୭-୧୮ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୧୧-୧୨ ବର୍ଷରେ ଓଡ଼ିଶାରେ ୬୩ହଜାର ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦିତ ହୋଇଥିଲା ବେଳେ ୨୦୧୨-୧୩ରେ ୬୫ହଜାର ମେଟ୍ରିକ୍ ଟନ୍,୨୦୧୩-୧୪ରେ ୭୧ହଜାର ମେଟ୍ରିକ୍ ଟନ୍, ୨୦୧୪-୧୫ରେ ୧୦୪ହଜାର ମେଟ୍ରିକ୍ ଟନ୍ ଓ ୨୦୧୫-୧୬ ବର୍ଷରେ ୫୭ହଜାର ମେଟ୍ରିକ୍ ଟନ୍ ଏବଂ ୨୦୧୬-୧୭ରେ ୮୪ ହଜାର ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦିତ ହୋଇଛି ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ତଥ୍ୟ ଆଧାରରେ ଆର୍ଥୀକ ସର୍ଭେ ରିପୋର୍ଟରେ ରାଜ୍ୟର ଆଳୁ ଉତ୍ପାଦନ ସଂକ୍ରାନ୍ତରେ ଉପରୋକ୍ତ ତଥ୍ୟ ଦିଆଯାଇଛି।

ବିଧାନସଭାରେ ଉପସ୍ଥାପିତ କୃଷିମନ୍ତ୍ରୀଙ୍କ ଉତ୍ତର ଓ ସରକାରଙ୍କ ଦ୍ୱାରା ଉପସ୍ଥାପିତ ଆର୍ଥୀକ ସର୍ଭେ ରିପୋର୍ଟରେ ଗତ ୫ ବର୍ଷର ଆଳୁ ଉତ୍ପାଦନ ସଂକ୍ରାନ୍ତରେ ଯେଉଁ ପରସ୍ପର ବିରୋଧୀ ତଥ୍ୟ ଦିଆଯାଇଛି ସେଥିରେ ଆକାଶ-ପାତାଳ ତଫାତ୍ ଥିବାରୁ ପ୍ରକୃତରେ ଚାଷୀଙ୍କ କ୍ଷେତ୍ରରେ କେତେ ଆଳୁ ଫଳୁଛି ଓ ସରକାରୀ ଖାତାରେ କେତେ ଆଳୁ ଫଳାଯାଉଛି ତାହା ଉପରେ ପ୍ରଶ୍ନ ଉଠିଛି ।