ନୂଆଦିଲ୍ଲୀ : ଶନିବାର ଅପରାହ୍ନ ୪ଟାରେ ବହୁମତ ସାବ୍ୟସ୍ତ କରାନ୍ତୁ ବିଏସ ୟେଦୁରପ୍ପା । ଶୁକ୍ରବାର ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଜେପିର ବିଏସ ୟେଦୁରପ୍ପାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କହିଛନ୍ତି ଯେ ଯଦି ୟେଦୁରପ୍ପାଙ୍କ ନିକଟରେ ଆସ୍ଥା ଓ ସମର୍ଥନ ରହିଛି ତେବେ ଆସନ୍ତାକାଲି ଶନିବାର ଅପରାହ୍ନ ୪ଟାରେ ବହୁମତ ସାବ୍ୟସ୍ତ କରାନ୍ତୁ ।
ବିଜେପି ପକ୍ଷରୁ ବରିଷ୍ଠ ଓକିଲ ମୁକୁଳ ରୋହତଗୀ ଶୁଣାଣୀ ସମୟରେ ଉପସ୍ଥିତ ରହି ୟେଦୁରପ୍ପାଙ୍କ ଚିଠି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ନିକଟରେ ଉପସ୍ଥାପିତ କରି ବିଜେପି ନିକଟରେ ବହୁମତ ରହିଥିବା ଦର୍ଶାଇଥିଲେ । ଶୁଣାଣୀ ସମୟରେ ଜଷ୍ଟିସ ଏ କେ ସିକରି ରୋହତଗୀଙ୍କୁ କହିଥିଲେ ଯେ ବିଜେପି ନିକଟରେ ବହୁମତ ଥିବା ବେଳେ କଂଗ୍ରେସ ଓ ଜେଡ଼ିଏସ ସେମାନଙ୍କ ନିକଟରେ ପୂର୍ଣ୍ଣ ବହୁମତ ଥିବା କହିଛନ୍ତି । ଏଭଳି ସ୍ଥଳେ ରାଜ୍ୟପାଳ କେଉଁ ଆଧାରରେ ବିଜେପିକୁ ନିମନ୍ତ୍ରଣ କଲେ । ସୁପ୍ରିମକୋର୍ଟ ସୂଚାଇଥିଲେ କି ସରକାର ଗଢିବା ଅଙ୍କର ଖେଳ । କାହା ପାଖରେ ଅଧିକ ସଂଖ୍ୟା ଅଛି ରାଜ୍ୟପାଳ ସ୍ଥିର କରିବେ । ଏହାପରେ ତିନିଜଣିଆ ଖଣ୍ଡପୀଠ ଆସନ୍ତାକାଲି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ ।