କାଳବୈଶାଖୀ : ରାଜ୍ୟରେ ୪୩ ଦିନରେ ୫୧ ମୃତ

0
860
thunderstorm
thunderstorm

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ଓ ବଜ୍ରପାତରେ ୪୩ ଦିନରେ ୫୧ ଜଣଙ୍କର ମୃତ୍ୟୁ ଘଟିଲାଣି । ସେହିପରି ଅଂଶୁଘାତ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯେୋଗ ଆସିଛି ।
କାଳବୈଶାଖୀ ପ୍ରଭାବରେ ଏପ୍ରିଲ ୧ରୁ ଏ ପର୍ଯ୍ୟନ୍ତ(୪୩ ଦିନ) ୫୧ ଜଣଙ୍କର ମୃତ୍ୟୁ ଘଟିଲାଣି । ସେଥିମଧ୍ୟରୁ ବଜ୍ରପାତରେ ୪୩ ଓ କାଳବୈଶାଖୀରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ସେହିପରି ଅଂଶୁଘାତ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯେୋଗ ଆସିଥିଲେ ହେଁ ଏଗୁଡିକ ବିଚାରଧୀନ ରହିଛି ବୋଲି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି । ଶ୍ରୀ ମହାନ୍ତି ଆହୁରି ପ୍ରକାଶ କରିଛନ୍ତି ଯେ, ଅଦିନିଆ ବର୍ଷାରେ ରାଜ୍ୟର ୬ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଆସିଥିବା କ୍ଷୟକ୍ଷତି ରିପୋର୍ଟରୁ ଏହା ଜଣାପଡ଼ିଛି। ସେହି ଜିଲ୍ଲା ଗୁଡିକ ହେଲା ବରଗଡ, ସୁବର୍ଣ୍ଣପୁର, ମାଲକାନଗିରି, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ । ସବୁଠାରୁ ବରଗଡ଼ ଜିଲ୍ଲାର ଚାଷୀ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିବା ସହ ବରଗଡରେ ସର୍ବାଧିକ ୨୬ ହଜାର ୮୯୯ ହେକ୍ଟର ଫସଲ ନଷ୍ଟ ହୋଇଥିବା ସେ କହିଛନ୍ତି। ଏହା ସହ ସୁବର୍ଣ୍ଣପୁରରେ ୯୨୩ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ଓ ସେହି ଜିଲ୍ଲାରେ ୫୬୧ ଘର ମଧ୍ୟ ଭାଙ୍ଗିଥିବା ଜିଲ୍ଲାପାଳ ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି ଫସଲ କ୍ଷୟକ୍ଷତି ପାଇଁ ବରଗଡକୁ ୩୬ କୋଟି ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ କରାଯାଇଥିବା ବେଳେ ୩ କୋଟି ୩୫ ଲକ୍ଷ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦିଆଯାଇଛି। ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେଲେ ତାଙ୍କୁ ସହାୟତା ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।