ନୂଆଦିଲ୍ଲୀ: କେମ୍ବ୍ରିଜ୍ ଆନାଲିଟିକ୍ସ କଂଗ୍ରେସକୁ ଦେଇଥିଲା ଲୋକସଭା ନିର୍ବାଚନ ପ୍ଲାନ୍। କଂଗ୍ରେସର ବିଦ୍ରୋହୀ ନେତା ଶହଜାଦ ପୁନାୱାଲା ଏହି ଦାବି କରିଛନ୍ତି ।
କେମ୍ବ୍ରିଜ୍ ଆନାଲିଟିକ୍ସ ଫାର୍ମ ସହ କଂଗ୍ରେସର ସମ୍ପର୍କକୁ ନେଇ କଂଗ୍ରେସର ବିଦ୍ରୋହୀ ନେତା ଶହଜାଦ ପୁନାୱାଲା ଏକ ରିପୋର୍ଟ ସର୍ବସାଧାରଣ କରିଛନ୍ତି। ଏହାସହ ସେ ଦାବି କରିଛନ୍ତି, କେମ୍ବ୍ରିଜ୍ ଆନାଲିଟିକ୍ସ କଂଗ୍ରେସକୁ ଲୋକସଭା ନିର୍ବାଚନ ମ୍ୟାନେଜମେଣ୍ଟ ପାଇଁ ରିପୋର୍ଟ ଦେଇଥିଲା। ୪୯ ପୃଷ୍ଠାର ଏହି ରିପୋର୍ଟର ନାଁ ‘ ଡାଟା ଡ୍ରିଭେନ କ୍ୟାମ୍ପେନ : ଦ ପାଥ ଅଫ ଦ ୨୦୧୯ ଲୋକସଭା। ଶହଜାଦଙ୍କ ଅନୁସାରେ ଏହି ରିପୋର୍ଟ ୨୦୧୭ ଅଗଷ୍ଟରେ ପ୍ରସ୍ତୁତ କରାଯାଇଥିଲା।
ଏହି ରିପୋର୍ଟକୁ କେମ୍ବ୍ରିଜ୍ ଆନାଲିଟିକ୍ସର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲେକଜାଣ୍ଡାର ନିକ୍ସ ପ୍ରସ୍ତୁତ କରିଥିଲେ। ଏଥିରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନର ମଧ୍ୟ ପ୍ଲାନ ରହିଥିଲା। ଏହାବାଦ ଜାତୀୟ ସ୍ତରରେ ଲୋକଙ୍କ ବିଷୟରେ ଡାଟା କେମିତି ଆଦାୟ କରାଯିବ ସେ ନେଇ ମଧ୍ୟ ପ୍ଲାନ୍ ଦିଆଯାଇଥିଲା। ଏହି ସର୍ଭେର ମୂଲ୍ୟ ୩,୮୯,୪୬୦ ଡଲାର କୁହାଯାଉଛି। ହେଲେ ଶହଜାଦ ଦାବି କରିଛନ୍ତି, ଡିଲ ୨୦୦ରୁ ୫୦୦ କୋଟି ଟଙ୍କାରେ ହୋଇଥିଲା। ଏହି ଆନାଲିଟିକ୍ସର ଉଦ୍ଦେଶ୍ୟଡାଟା ମାଇନିଂ, ନ୍ୟାସନାଲ ଡାଟା ଆନାଲିସିସ, ଡାଟା ଡ୍ରିଭେନ କ୍ୟାମ୍ପେନ , ମିଡିଆ ମନିଟରିଂ କରିବା ଥିଲା।