କ୍ରିକେଟର ଶାମିଙ୍କ ନାମରେ ଅଭିଯୋଗ ଆଣିଲେ ପତ୍ନୀ

0
836

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମୋହମ୍ମଦ ଶାମିଙ୍କ ପାରିବାରିଜ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ତାଙ୍କର ପତ୍ନୀ ହସୀନ ତାଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ଏବେ ହସୀନ ଫେସବୁକ ପେଜରେ ଏଥିରେ ସମ୍ବନ୍ଧିତ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ହ୍ଵାଟ୍ସଆପର ଏକ ସ୍କ୍ରିନ ସଟକୁ ସେୟାର କରିଛନ୍ତି। ଏହି ସ୍କ୍ରିନ ସଟ୍ ଅନ୍ୟ ଯୁବତୀଙ୍କ ସହ ଶାମି କରିଥିବା ଚାଟିଂ ହୋଇଥିବା କୁହାଯାଉଛି।  ଅଭିଯୋଗ ହୋଇଛି  ଯେ ସାମି ଅନ୍ୟ ଯୁବତୀଙ୍କ ସହ ସୋସିଆଲ ମିଡିଆରେ ଅନ୍ତରଙ୍ଗ କଥା ହୋଇଥାନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତରେ ଫେରିବା ପରେ ଶାମି ତାଙ୍କୁ ମାରପିଟ୍ କରିଥିବା ହସୀନ ଅଭିଯୋଗ କରିଛନ୍ତି। ବହୁତ ଦିନରୁ ସେ ମୋ ସହିତ ଏମିତି କରି ଆସୁଛନ୍ତି। ମାତ୍ର ସହ୍ୟ କରିବାର ସୀମା ପାର ହୋଇ ସାରିଛି ବୋଲି ହସୀନ ଜହାନ କହିଛନ୍ତି। ନିଜର ଭୁଲ ସୁଧାରିବା ପାଇଁ ଶାମିଙ୍କୁ ବହୁତ ସମୟ ଦେଇଛି ଏବଂ ନିଜକୁ ଶାନ୍ତ କରିବା ପାଇଁ ବହୁତ ପ୍ରୟାସ କରିଛି। ମାତ୍ର ଶାମି କହୁଥିଲେ ଯେ ନିଜର ଯଦି ଭଲ ଚାହୁଁଛ ତେବେ ଚୁପ୍ ରୁହ।

ନିଜ ଉପରେ ଲାଗିଥିବା ଏହି ସଙ୍ଗୀନ ଅଭିଯୋଗ ଉପରେ ଶାମି ଟ୍ଵିଟ୍ କରି ସଫେଇ ଦେଇଛନ୍ତି। ମୋହମ୍ମଦ ଶାମି ଟ୍ଵିଟ୍ କରି ଲେଖିଛନ୍ତି ଯେ ଆମର ବ୍ୟକ୍ତିଗତ ଜୀବନ ବିଷୟରେ ଯେଉଁ ସବୁ ନ୍ୟୁଜ୍  ଚାଲୁଛି ଏହା ସବୁ ମିଥ୍ୟା। ଆମ ବିରୋଧରେ ବହୁତ ବଡ଼ ଷଡ଼ଯନ୍ତ୍ର ରଚାଯାଉଛି କିମ୍ବା ମୋତେ ବଦନାମ କରିବା ପାଇଁ ଉଦ୍ୟମ କରାଯାଉଛି। ମୋର ଖେଳକୁ ଖରାପ କରିବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି। ମୋହମ୍ମଦ ସାମି ଏବଂ ତାଙ୍କର ପତ୍ନୀ ହସୀନଙ୍କ ସହିତ ଜଡ଼ିତ ପାରିବାରିକ ସୂତ୍ର ଅନୁସାରେ ଏହି ଦମ୍ପତ୍ତିଙ୍କ ମଧ୍ୟରେ ୩ ରୁ ୪ ମାସ ହେବ ପାରିବାରିକ ଜୀବନ ଠିକ୍ ଚାଲୁନାହିଁ।  ହୋଇପାରେ ହସୀନଙ୍କ ଅଭିଯୋଗ ସତ୍ୟ, କିନ୍ତୁ ତାଙ୍କ ସହ ଯୋଗାଯୋଗ  କରିବାକୁ ଚେଷ୍ଟା କଲେ ତାଙ୍କର ନମ୍ବର ବ୍ୟସ୍ତ ରହୁଛି ଏବଂ ତାଙ୍କର ଫେସବୁକ ଆକାଉଣ୍ଟ ଡିଆକ୍ଟିଭେଟ୍ ହୋଇଯାଇଛି। ଶାମି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଥର ସୋସିଆଲ ମିଡିଆର  ଟାର୍ଗେଟରେ ଆସିଛନ୍ତି। ସେ ନିଜର ପତ୍ନୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିବା କାରଣରୁ କଠୋରପନ୍ଥୀଙ୍କ ନିଶାଣରେ ଆସିଥିଲେ। ୨୦୧୪ ଜୁନରେ ସାମିଙ୍କ ବିବାହ କୋଲକାତା ବାସିନ୍ଦା ହସୀନଙ୍କ ସହ ହୋଇଥିଲା। ତାଙ୍କର ଏକ ଝିଅ ରହିଛି। ସାମିଙ୍କ ପତ୍ନୀ ପୂର୍ବରୁ ମୋଡେଲ ଥିଲେ। ସାମିଙ୍କ ପରିବାର କୋଲକାତାରେ ରୁହନ୍ତି। ଶାମି ବର୍ତ୍ତମାନ ଦେଓଧର ଟ୍ରଫିରେ ଇଣ୍ଡିଆ ଏ ପକ୍ଷରୁ ଖେଳୁଛନ୍ତି। ସେ ଏପର୍ୟ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୩୦ଟି ଟେଷଟ୍, ୭  ଟି ୨୦ ଓ ୫୦ ଟି ଦିନିକିଆ ମ୍ୟାଚ୍ ଖେଳି ସାରିଛନ୍ତି।