ନୂଆଦିଲ୍ଲୀ : ଜବତ ହେବ ପଳାତକ ଅପରାଧୀଙ୍କ ସଂପତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଏହି ସମ୍ବନ୍ଧରେ ପ୍ରସ୍ତାବକୁ ମଞ୍ଜୁରୀ ମିଳି ଯାଇଛି।
ଆର୍ଥିକ ଅପରାଧ କରି ଦେଶରୁ ପଳାୟନ କରିଥିବା ଅପରାଧୀଙ୍କ ସଂପତ୍ତି ଏବେ ଜବତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଏହି ସମ୍ବନ୍ଧରେ ପ୍ରସ୍ତାବକୁ ମଞ୍ଜୁରୀ ମିଳି ଯାଇଛି। ରାଷ୍ଟ୍ରପତିଙ୍କ ସହମତି ପରେ ଏଥିରେ ମୋହର ବାଜିବ। ଉଲ୍ଲେଖଯୋଗ୍ୟ ଲୋକସଭାରେ ମାର୍ଚ୍ଚ ୧୨ରେ ପଳାତକ ଘୋଷିତ ଆର୍ଥିକ ଅପରାଧୀ ବିଲ ୨୦୧୮ ଉପସ୍ଥାପିତ କରାଯାଇଥିଲା, ମାତ୍ର ସଂସଦରେ ହଟ୍ଟଗୋଳ କାରଣରୁ ଏହି ବିଲ୍ ପାରିତ ହୋଇ ପାରିନଥିଲା। ବିଜୟ ମାଲ୍ୟା ଓ ନିରବ ମୋଦୀ ପରି ମାମଲା ସାମ୍ନାକୁ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଅଧ୍ୟାଦେଶର ପ୍ରାବଧାନ ସେହି ଆର୍ଥିକ ଅପରାଧୀ ବିରୋଧରେ ଲାଗୁ ହେବ ଯିଏ ଋଣ ନେବା ପରେ ଦେଶରୁ ପଳାୟନ କରିଛନ୍ତି ଏବଂ ଯେଉଁମାନଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି। ଏହା ସହିତ ଯିଏ ୧୦୦ କୋଟି ଟଙ୍କାରୁ ଅଧିକ ଋଣ ନେଇ ଋଣ ଖିଲାଫକାରୀ ସୂଚୀରେ ସାମିଲ ଅଛି ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡ ସ୍ଵରୂପ ସେମାନଙ୍କର ସଂପତ୍ତି ଜବତ ହେବ। ଏହି ପ୍ରାବଧାନ ଆଧାରରେ ବିନା କାହାରି ଅନୁମତିରେ ଅପରାଧୀଙ୍କ ସଂପତ୍ତି ଜବତ କରାଯିବ ଏବଂ ତାକୁ ବିକ୍ରି କରି ସେଥିରେ ଉଧାର ଦେଇଥିବା ଲୋକଙ୍କୁ ଅର୍ଥ ଫେରସ୍ତ କରାଯିବ। ପଳାତକ ଆର୍ଥିକ ଅପରାଧୀ ସେହି ବ୍ୟକ୍ତି, ଯିଏ ତଦନ୍ତରୁ ବର୍ତ୍ତିବା ପାଇଁ ଦେଶ ଛାଡି ପଳାୟନ କରିଛି ଏବଂ ଦେଶରକୁ ଫେରିବାକୁ ମନା କରୁଛି।
ଅଧ୍ୟାଦେଶ ମୁତାବକ ନିର୍ଦ୍ଦେଶକ କିମ୍ବା ଉପ ନିର୍ଦ୍ଦେଶକ(ପିଏମଏଲଏ ୨୦୦୨ ଆଧାରରେ ନିଯୁକ୍ତ) ସ୍ଵତନ୍ତ୍ର କୋର୍ଟ ସାମ୍ନାରେ କୌଣସି ବ୍ୟକ୍ତିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯିବାର ଦାବି କରାଯିବ। ସେହି ଦାବି ପତ୍ରରେ ଏହା ମଧ୍ୟ ଉଲ୍ଲେଖ ରହିବ ଯେ ଉକ୍ତ ବ୍ୟକ୍ତିଙ୍କୁ କଣ ପାଇଁ ପଳାତକ ଘୋଷଣା କରାଯିବ। ଏହି ଦାବି ପତ୍ର ପରେ ସ୍ଵତନ୍ତ୍ର କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ନୋଟିସ୍ ଜାରି କରି ୬ ସପ୍ତାହ ମଧ୍ୟରେ ହାଜର ହେବାକୁ କୁହାଯିବ। ଯଦି ସେହି ବ୍ୟକ୍ତି ଜଣକ ନିର୍ଦ୍ଧାରିତ ସମୟରେ ହାଜର ହୁଅନ୍ତି ତେବେ ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯିବ ନାହିଁ। ଉଲ୍ଲେଖଯୋଗ୍ୟ କେନ୍ଦ୍ରୀୟ କ୍ୟାବିନେଟ୍ ଏହି ଅଧ୍ୟାଦେଶ ବ୍ୟତୀତ ଆଜି ୧୨ ବର୍ଷରୁ କମ ଶିଶୁଙ୍କ ସହ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବା ନେଇ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହାକୁ ନେଇ ଖୁବ୍ ଶୀଘ୍ର ଅଧ୍ୟାଦେଶ ଜାରି କରାଯିବ। ଏହି ମଞ୍ଜୁରୀକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। କ୍ୟାବିନେଟ୍ ବଳାତ୍କାର ମାମଲାରେ ତ୍ଵରିତ ଯାଞ୍ଚ ଓ ଶୁଣାଣି ନିର୍ଦ୍ଧାରିତ ସମୟରେ ହେବ।