ଖାଦ୍ୟ ସୁରକ୍ଷା : ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

0
885
cm naveen patnaik
cm naveen patnaik
ଭୁବନେଶ୍ୱର :  ଓଡ଼ିଶାରେ ଲୋକସଂଖ୍ୟା ବୃଦ୍ଧି ଘଟିଛି । ୨୦୧୮ରେ ତୁଳନା କଲେ  ୧୦.୨୨ ପ୍ରତିଶତ ବୃଦ୍ଧି ଘଟିଛି ।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ)ରେ ରାଜ୍ୟର ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ଲୋକସଂଖ୍ୟା ୪,୧୯,୭୪, ୨୧୮ ଥିବା ବେଳେ ୩ କୋଟି ୨୬ଲକ୍ଷ ୪୧ ହଜାର ୮୦୦ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତୁର୍ଭୁକ୍ତ କରାଯାଇଛି । ଅର୍ଥାତ ଜନସଂଖ୍ୟାର ୭୮ ପ୍ରତିଶତ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ କୁ ରାଜ୍ୟ ସରକାର ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି ।

ଗତ ଦଶନ୍ଧିରେ ଓଡ଼ିଶାରେ ୧୪ ପ୍ରତିଶତ ଲୋକଙ୍କ ବୃଦ୍ଧି ଘଟିଛି । ଯଦି ଏହାକୁ ଆମେ ୨୦୧୮ରେ ତୁଳନା କରିବା ତାହା ହେଲେ ୧୦.୨୨ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୮ ସୁଦ୍ଧା ଓଡ଼ିଶାରେ ୪ କୋଟି ୬୨ ଲକ୍ଷ ୬୩ ହଜାର ୯୮୩ ଲୋକସଂଖ୍ୟା ହେବ ବୋଲି ଆକଳନ କରାଯାଇଛି । ତେଣୁ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୩ କୋଟି ୬୦ ଲକ୍ଷ ୮୫ ହଜାର ୯୦୭ ଜଣ ହିତାଧିକାରୀଙ୍କୁ ସାମିଲ କରିବାକୁ ଆମେ ହକଦାର ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ଅତିରିକ୍ତ ୩୪ ଲକ୍ଷ ୪୪ ହଜାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରି ଆବଶ୍ୟକ ଖାଦ୍ୟଶସ୍ୟ ଯୋଗାଇ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି ।