ଭୁବନେଶ୍ୱର : ଆଜି ଗଂଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ହଜାର ହିତାଧିକାରୀଙ୍କୁ ଜମିର ମାଲିକାନା ସ୍ୱତ୍ୱ ପ୍ରଦାନ କରିବେ। ୧୧.୨୫ ମିନିଟରେ ପୋଲିସ ପ୍ୟାରେଡ ଗ୍ରାଉଣ୍ଡର ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହିଞ୍ଚିବା ପରେ ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ଓ ୧୨.୩୫ରେ ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଂଜାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଗସ୍ତ ସମୟରେ ସେ ଛତ୍ରପୁରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ନେଇ ସୂଚନା ମିଳିଛି। ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ସହରାଂଚଳ ବସ୍ତିବାସିନ୍ଦାଙ୍କୁ ଜମି ସ୍ୱତ୍ୱର ନଥିପତ୍ର ବଣ୍ଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ୮ଟି ତଥା ପୁରୀ ଜିଲ୍ଲାର ଗୋଟିଏ ଏନଏସିରେ ଏହି ପାଇଲଟ ପ୍ରକଳ୍ପ ଆଜି ଆରମ୍ଭ ହେବ। ଏହି ପାଇଲଟ ପ୍ରକଳ୍ପ ଅନୁସାରେ ସେ ମୋଟ ୨ ହଜାର ହିତାଧିକାରୀଙ୍କୁ ଜମିର ମାଲିକାନା ସ୍ୱତ୍ୱ ପ୍ରଦାନ କରିବେ।