ଗଠନ ହେବ ଆଣ୍ଟି ଡକାୟତି ପାଟ୍ରୋଲିଂ ଟିମ୍‌

0
929
commissioner of police
commissioner of police

ଡକାୟତଙ୍କ ଉପରେ ରହିବ ନଜର : ଆବଶ୍ୟକ ସ୍ଥଳେ କରାଯିବ ଏନ୍‌କାଉଣ୍ଟର୍‌
ଭୁବନେଶ୍ୱର : କମିସନରେଟ୍‌ ପୁଲିସ ଗଠନ କରିବାକୁ ଯାଉଛି ‘ଆଣ୍ଟି ଡକାୟତି ପାଟ୍ରୋଲିଂ ଟିମ୍‌’। ରାଜଧାନୀ ଉପକଣ୍ଠ ଧଉଳି, ଇନ୍‌ଫୋସିଟି, ତମାଣ୍ଡୋ ଥାନା ଅଧୀନରେ ଏହି ଟିମ୍‌ ଘୂରି ବୁଲିବ। ସଶସ୍ତ୍ର ଯବାନ ଏହି ପାଟ୍ରୋଲିଂ ଟିମ୍‌ରେ ରହିବେ। ଆବ୍ୟଶ୍ୟକ ହେଲେ ଡକାୟତି ଗ୍ୟାଙ୍ଗ୍‌ ମୁହାଁମୁହିଁ ହେଲେ ଏନ୍‌କାଉଣ୍ଟ୍‌ର କରିବାକୁ ନିର୍ଦେଶ ଦିଆଯିବ।

ଗତ କିଛି ମାସ ହେବ ରାଜଧାନୀ ଉପକଣ୍ଠରେ ଡକାୟତି, ରାହାଜାନୀ ଏବଂ ସିନ୍ଧି ଚୋରି ଭଳି ଘଟଣା ବଢ଼ିବାରେ ଲାଗିଛି। ଏକାଧିକ ଘଟଣାରେ ପୁଲିସ ଲୁଟେରା ଗ୍ୟାଙ୍ଗ୍‌କୁ ଠାବ କରିବାରେ ଅସମର୍ଥ ହୋଇଛି। ଯେଉଁ କାରଣରୁ କମିିସନରେଟ୍‌ ପୁଲିସ ମଧ୍ୟ ସମାଲୋଚିତ ହୋଇଛି ବର୍ଷ ଆରମ୍ଭରୁ ଆଉ ଡକାୟତି, ରାହାଜାନୀ ଏବଂ ସିନ୍ଧିଚୋରି ଭଳି ଘଟଣା ଯେପରି ନଘଟେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର, ଧଉଳି, ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ନିଛାଟିଆ ଘରେ ଡକାୟତି, ରାହାଜାନୀ ଏବଂ ସିନ୍ଧିଚୋରି ଭଳି ଅପରାଧ ବଢ଼ିବାରେ ଲାଗିଛି। ରାଜ୍ୟ ବାହାରର କେତେକ ଲୁଟେରା ଗ୍ୟାଙ୍ଗ ଏଭଳି ଚୋରି, ଡକାୟତିରେ ସଂପୃକ୍ତ ଅଛନ୍ତି। ସଂପୃକ୍ତ ଗ୍ୟାଙ୍ଗ୍‌କୁ ଖୁବ୍‌ ଶୀଘ୍ର ଠାବ କରାଯିବ। କିନ୍ତୁ ଏଭଳି ଅପରାଧକୁ ଭବିଷ୍ୟତରେ ରୋକିବା ଲାଗି ‘ଆଣ୍ଟି ଡକାୟତି ପାଟ୍ରୋଲିଂ ଟିମ୍‌’ ଗଠନ କରାଯିବ। ଜଣେ ଏସ୍‌ଆଇ ଏହି ଟିମ୍‌ର ମୁଖ୍ୟ ରହିବେ। ତାଙ୍କ ଅଧୀନରେ ୧୨ଜଣ ସଶସ୍ତ୍ର କନ୍‌ଷ୍ଟେବଲ୍‌ କାମ କରିବେ। ଏହି ଟିମ୍‌ ରାତି ୧୨ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ଉପୋରକ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ କରିବେ। ପାଟ୍ରୋଲିଂ ବେଳେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରାଗଲେ ସେମାନଙ୍କୁ ସ୍ଥାନୀୟ ଥାନାକୁ ନେଇ ଜେରା କରାଯିବ। ଯଦି କୌଣସି ପରିସ୍ଥିତିରେ ପାଟ୍ରୋଲିଂ ଟିମ୍‌ ସହିତ ଡକାୟତ ଗ୍ୟାଙ୍ଗ୍‌ ମୁହାଁମୁହିଁ ହେବେ ତୁରନ୍ତ ଏନ୍‌କାଉଣ୍ଟର କରାଯିବ।