ନୂଆଦିଲ୍ଲୀ : ଗାନ୍ଧୀ ଜୟନ୍ତୀ ଦିନ ଟ୍ରେନରେ ମିଳିବ ନାହିଁ ଆମିଷ ଖାଦ୍ୟ। ଏହାକୁ ‘ନିରାମିଷ ଦିବସ’ ରୂପେ ମଧ୍ୟ ପାଳନ କରାଯିବ। କାରଣ ମହାତ୍ମା ଗାନ୍ଧୀ ଶାକାହାରୀ ଭୋଜନର ପ୍ରବଳ ସମର୍ଥକ।
ଏବେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଟ୍ରେନରେ ମିଳିବ ନାହିଁ ଆମିଷ ଖାଦ୍ୟ। ଏ ନେଇ ରେଳ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ କରିଛନ୍ତି ସୁପାରିଶ। ଯଦି କେନ୍ଦ୍ର ଏହି ପ୍ରସ୍ତାବକୁ ସ୍ଵୀକାର କରିନିଏ ତେବେ ଜାତୀୟ ପିତାଙ୍କ ଜୟନ୍ତୀ ଅକ୍ଟୋବର ୨ କେବଳ ସ୍ଵଚ୍ଛତା ଦିବସ ଭାବେ ନୁହେଁ ବରଂ ଏହାକୁ ‘ନିରାମିଷ ଦିବସ’ ରୂପେ ମଧ୍ୟ ପାଳନ କରାଯିବ। ରେଲଓ୍ଵେ ଏହି ପ୍ରସ୍ତାବ ରାଷ୍ଟ୍ରପତିଙ୍କ ପ୍ରତି ସମ୍ମାନ ଦେଖାଇବା ଦୃଷ୍ଟିରୁ ପଠାଇଛି କାରଣ ମହାତ୍ମା ଗାନ୍ଧୀ ଶାକାହାରୀ ଭୋଜନର ପ୍ରବଳ ସମର୍ଥକ। କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀକୁ ଖାସ୍ କରିବା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରେଲଓ୍ଵେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସ୍ତାବ ଦେଇଛି ଯେ ୨୦୧୮ରୁ ୨୦୨୦ ପର୍ୟ୍ୟନ୍ତ ରେଲଓ୍ଵେ ପରିସରରେ ଅକ୍ଟୋବର ୨ ତାରିଖ ଯାତ୍ରୀଙ୍କୁ ନିରାମିଷ ଭୋଜନ ପରସା ଯାଉ। ଉଲ୍ଲେଖଯୋଗ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀଙ୍କୁ ଖାସ୍ କରିବା ପାଇଁ ଏକ ସ୍ଵତନ୍ତ୍ର କମିଟିର ଗଠନ ମଧ୍ୟ କରିଛି।
ମହାତ୍ମା ଗାନ୍ଧୀଙ୍କ ଜୀବନ ସହିତ ଜଡ଼ିତ ବିଶେଷ ସ୍ଥଳରୁ ରେଲଓ୍ଵେର ଅନେକ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଯୋଜନା ରହିଛି। ରେଲଓ୍ଵେର ଉଦ୍ୟମ ଏହା ଯେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ନିରାମିଷ ଦିବସ ଘୋଷିତ କରାଯିବା ସହିତ ସାବରମତୀରୁ ଏକ ସ୍ଵତନ୍ତ୍ର ଟ୍ରେନ ମଧ୍ୟ ଚଳାଯାଉ। ଏହା ସହିତ ରେଲଓ୍ଵେ ଯୋଜନା କରିଛି ଯେ ଗାନ୍ଧୀଙ୍କ ଓ୍ଵାଟରମାର୍କ ବିଶିଷ୍ଟ ଛବିର ଟିକେଟ୍ ମଧ୍ୟ ଜାରି କରାଯାଉ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପାଖକୁ ରେଳ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ପଠାଇଛି। ସଂସ୍କୃତି ମନ୍ତ୍ରଣାଳୟକୁ ମଧ୍ୟ ଜାତୀୟ ପିତାଙ୍କ ୧୫୦ ତମ ଜୟନ୍ତୀ ପାଇଁ ଖାସ୍ ବ୍ୟବସ୍ଥା କରିବାର ଦାୟିତ୍ଵ ଦିଆଯାଇଛି।