ଛତିଶଗଡ଼ : ଛତିଶଗଡ଼ ସୀମାନ୍ତ ବିଜାପୁରରେ ପୋଲିସ ଏନକାଉଣ୍ଟର୍ରେ ଲାଲବାହିନୀ ସଂଗଠନର ୭ ଜଣ ପ୍ରାଣ ହରାଇଛନ୍ତି । ଗୁଳି ବିନିମୟ ସମୟରେ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ମହାରାଷ୍ଟ୍ର ପରେ ଛତିଶଗଡ଼ରେ ମାଓ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି । ଛତିଶଗଡ଼ ସୀମାନ୍ତ ବିଜାପୁରରେ ପୋଲିସ ଏନକାଉଣ୍ଟର୍ରେ ଲାଲବାହିନୀ ସଂଗଠନର ୭ ଜଣ ପ୍ରାଣ ହରାଇଛନ୍ତି । ଗୁଳି ବିନିମୟ ସମୟରେ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ପ୍ରଥମେ ଆଜି ସକାଳ ୯ ଟାରେ ମାଓବାଦୀମାନେ ଯବାନ ମାନଙ୍କ ଉପରେ ହମଲା କରିଥିଲେ ଓ ପରେ ପୋଲିସ – ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଛତିଶଗଡ ସୀମାର ତେଲେଙ୍ଗାନା ଅଂଚଳର ଭୋପାଳପାଟନମରେ ମାଓବାଦୀ ଓ ପୋଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗ୍ରେ ହାଉଣ୍ଡ ଓ ଛତିଶଗଡ଼ ପୋଲିସର ମିଳିତ କାର୍ୟ୍ୟାନୁଷ୍ଠାନରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ମାଓବାଦୀଙ୍କ ମଧ୍ୟରେ ୫ ଜଣ ମହିଳା ଓ ୨ ଜଣ ପୁରୁଷ ମାଓବାଦୀ ରହିଛନ୍ତି । ଗୁଳି ବିନିମୟ ସମୟରେ ୩ ଜଣ ଯବାନ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ମାଓବାଦୀଙ୍କ ନିକଟରୁ ୬ଟି ରକେଟ୍ ଲଂଚ୍, ବନ୍ଧୁକ, ୩ଟି ଗ୍ରେନେଡ଼୍ ଓ ଅନ୍ୟାନ୍ୟ ମାଓ ସାମ୍ରଗୀ ଜବତ କରାଯାଇଛି । ସଂପୃକ୍ତ ଅଂଚଳରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିକଟରେ ମହାରାଷ୍ଟ୍ର ଗଡ଼ଚିରୌଲୀରେ ପୋଲିସ ଏନ୍କାଣ୍ଟର୍ରେ ୩୯ ଜଣ ମାଓବାଦୀ ପ୍ରାଣ ହରାଇଥିଲେ ।