ଗୃହରେ ଲୋକାୟୁକ୍ତ ନିଯୁକ୍ତି ଝଡ଼

0
830
Odisha-assembly
Odisha-assembly
ଭୁବନେଶ୍ୱର : ବିଧାନସଭା ଗୃହରେ ଉଠିଛି ଲୋକାୟୁକ୍ତ ନିଯୁକ୍ତି ଝଡ଼  ଗୃହକାର୍ଯ୍ୟ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।  ।
ଆଜି ପୁଣି ଥରେ ବିଧାନସଭା ଗୃହରେ ଲୋକାୟୁକ୍ତ ନିଯୁକ୍ତି ଝଡ଼ ଉଠିଛି । ମୁଖ୍ୟ ବିରୋଧୀ କଂଗ୍ରେସର ବିଧାୟକମାନେ ଲୋକାୟୁକ୍ତ ନିଯୁକ୍ତି ଦାବିରେ ବାଚସ୍ପତିଙ୍କ ପୋଡ଼ିୟମ୍‌ ତଳେ ଧାରଣା ଦେଇଛନ୍ତି । ଏହା ସହିତ ନାରାବାଜି ମଧ୍ୟ କରିଥିଲେ । ଗୃହକାର୍ଯ୍ୟ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଗତକାଲି ପରି ଆଜି ମଧ୍ୟ କଂଗ୍ରେସ ଦଳ ପ୍ରଶ୍ନୋତ୍ତର କାଳରୁ ଆରମ୍ଭ କରିଥିଲେ ନାରାବାଜି । ଲୋକପାଳ ବିଲ୍‌ କାର୍ୟ୍ୟକାରୀ କରିବା ଓ ଲୋକାୟୁକ୍ତ ନିଯୁକ୍ତି ପାଇଁ ଦାବି କରିଥିଲେ । ବିଧାୟକମାନେ ନିଜ ଆସନ ଛାଡ଼ି ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣାରେ ବସିଥିଲେ । ଲୋକାୟୁକ୍ତ ନିଯୁକ୍ତି ଦାବିରେ ହଟ୍ଟଗୋଳ ମଧ୍ୟ କରିଥିଲେ । ୨୦୧୫ରୁ ରାଷ୍ଟ୍ରପତି ଏହି ବିଲ୍‌କୁ ଅନୁମୋଦନ କରିଥିଲେ ମଧ୍ୟ ରାଜ୍ୟ ସରକାର କାର୍ଯ୍ୟକାରୀ କରୁ ନାହାଁନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ଏ ନେଇ ଗୃହରେ ହଙ୍ଗାମା କରିଛନ୍ତି । ଫଳରେ ବାଚସ୍ପତି ପ୍ରଥମେ ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହା ଦ୍ୱାରା ପ୍ରଶ୍ନୋତ୍ତର କାଳ ଚାଲି ପାରି ନଥିଲା ।  ଏହା ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ୱାଭାବିକ ହୋଇ ପାରି ନ ଥିଲା । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ଗୃହ ମୁଲତବୀ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ସମ୍ବିଧାନକୁ କେହି ମାନୁ ନାହାଁନ୍ତି ଓ ପରମ୍ପରାକୁ ସମସ୍ତେ ବେଖାତିର କରୁଛନ୍ତି । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ମିଳୁନାହିଁ । ଗୃହରେ ବିରୋଧୀଙ୍କ ଉପସ୍ଥିତି ଆବଶ୍ୟକ ନ ଥିବା ସେ କହିଛନ୍ତି । ବାଚସ୍ପତି ସୁରକ୍ଷା ଦେବା ବଦଳରେ ଚୁପ ହୋଇ ବସି ରହୁଥିବା ଅଭିଯୋଗ ସହ ଲୋକାଯୁକ୍ତ ନିଯୁକ୍ତ କାହିଁକି ହେଉ ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ନରସିଂହ ଦାବି କରିଛନ୍ତି ।

ଲୋକାଯୁକ୍ତ ନିଯୁକ୍ତ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଜବାବରେ କହିଛନ୍ତି ଲୋକାଯୁକ୍ତ ପାଇଁ ପଦକ୍ଷେପ ନେବାରେ ଓଡିଶା ପ୍ରଥମ ରାଜ୍ୟ ଓ ଏଥିପାଇଁ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ମିଳିସାରିଛି । ତେବେ ବିରୋଧୀମାନେ ଏହି ପ୍ରସଙ୍ଗ ଉପରେ ଆଗରୁ କାହିଁକି ପ୍ରଶ୍ନ ଉଠାଇ ନ ଥିଲେ ଓ ଆନ୍ନା ହଜାରେଙ୍କୁ ଦେଖି ଏଭଳି ପ୍ରଶ୍ନ ଉଠାଇଥିବା ସେ ଜବାବରେ କହିଛନ୍ତି ।