ଜନ ଆନ୍ଦୋଳନରେ ପରିଣତ ହେଲେ ବିକାଶ ସମସ୍ତଙ୍କ ପାଖରେ ପହଞ୍ଚିପାରିବ : ମୋଦି

0
1012
modi-westminster
modi-westminster

ଲଣ୍ଡନ  : ଦେଶର ବିକାଶ ପ୍ରକ୍ରିୟାରେ ସମସ୍ତେ ଭାଗନେବା ଦରକାର। ଦେଶର ବିକାଶ ପ୍ରକ୍ରିୟାକୁ ଜନଆନ୍ଦୋଳନରେ ପରିଣତ କରାହେଲେ ଏହା ସମସ୍ତଙ୍କ ପାଖରେ  ପହଞ୍ଚିପାରିବ ବୋଲି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ବିଦେଶ ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଲଣ୍ଡନର ୱେଷ୍ଟମିନିଷ୍ଟରସ୍ଥିତ ସେଣ୍ଟ୍ରାଲ ହଲ୍‍ରେ ଭାରତୀୟ ସମୁଦାୟଙ୍କୁ ଉଦ୍‍ବୋଧନ ଦେଇଛନ୍ତି। ‘ଭାରତ କି ବାତ, ସବ୍‍କେ ସାଥ’ ନାମରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶର ବିକାଶ ପ୍ରକ୍ରିୟାରେ ସମସ୍ତେ ଭାଗନେବା ଦରକାର। ସମସ୍ତଙ୍କ ଯୋଗଦାନ ଦ୍ୱାରା ଗଣତନ୍ତ୍ର ସୁଦୃଢ ହୋଇଥାଏ ଓ ଏହାଦ୍ୱାରା ସୁଶାସନ ପ୍ରତିଷ୍ଠା ହୋଇଥାଏ।
ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିବା ପଛରେ ମହାତ୍ମା ଗାନ୍ଧିଙ୍କର ବଡ ଭୂମିକା ରହିଥିଲା। ସେହିପରି ଦେଶର ବିକାଶ ପ୍ରକ୍ରିୟାକୁ ଜନଆନ୍ଦୋଳନରେ ପରିଣତ କରାଯିବା ଦରକାର। ଏହାଦ୍ୱାରା ସମସ୍ତଙ୍କ ପାଖରେ ବିକାଶ ପହଞ୍ଚିପାରିବ। ଭାରତର ପ୍ରତିଟି ଲୋକଙ୍କ ନିକଟରେ ବିକାଶର ଧାରା ଓ ସୁଶାସନ ପହଞ୍ଚାଇବା ଦିଗରେ ସେ କାର୍ଯ୍ୟ କରୁଥିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସତ୍ତ୍ବେ ଲୋକମାନେ ତାଙ୍କ ଠାରୁ ଅଧିକ କିଛି ଆଶା କରୁଛନ୍ତି। କାରଣ ଲୋକେ ଜାଣିଛନ୍ତି ସେ (ପ୍ରଧାନମନ୍ତ୍ରୀ) ଅଧିକ କିଛି କରିପାରିବେ। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ଯେ ଭାରତ କେବେହେଲେ କାହାର ଭୂଖଣ୍ଡ ଉପରେ ଦୃଷ୍ଟି ପକାଏ ନାହିଁ। ଆମେ ଶାନ୍ତିରେ ବିଶ୍ୱାସ କରୁ; ମାତ୍ର ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କୁ ଆମେ କେବେ ସହ୍ୟ କରିପାରିବୁ ନାହିଁ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱିଡେନ ଗସ୍ତ ସାରି ବୁଧବାର ସକାଳେ ବ୍ରିଟେନରେ ପହଞ୍ଚିଥିଲେ। ଏଠାରେ ସେ ରାଜ୍ୟଗୋଷ୍ଠୀ ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ଯୋଗଦେଇଥିଲେ। ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ, ରାଣୀ ଏଲିଜାବେଥ, ଯୁବରାଜ ଚାର୍ଲସ ଓ ଅନ୍ୟମାନଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ଅନେକ ବୁଝାମଣା ସ୍ୱାକ୍ଷର ହୋଇଥିଲା। ଭାରତ ଓ ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତାଙ୍କ ବ୍ରିଟେନ ପ୍ରତିପକ୍ଷ ଥେରସୋ ମେଙ୍କ ସହିତ ଆଲୋଚନା କରିଛନ୍ତି। ବ୍ରେକଜିଟ୍‍ ପରେ ଦୁଇଦେଶ ସମ୍ପର୍କରେ କିପରି ଉନ୍ନତି ଆସିପାରିବ ସେ ଦିଗରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଶ୍ୱରେ ଆତଙ୍କବାଦକୁ ଦମନ କରିବାକୁ ଦୁଇଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ବିଶେଷକରି ପାକିସ୍ତାନର ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ଭଳି ସଂଗଠନକୁ ଦମନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦୁଇନେତା ଘୋଷଣା କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ନୋରଡିକ ରାଷ୍ଟ୍ରଗୁଡିକ ସମର୍ଥନ କରିଛନ୍ତି। ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୋରଡିକ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ଆଲୋଚନା କାଳରେ ଏହି ସମର୍ଥନ ବ୍ୟକ୍ତ କରିଥିଲେ। ମଙ୍ଗଳବାର ରାତିରେ ଭାରତ ଓ ନୋରଡିକ ପ୍ରଥମ ସମିତି ଅନୁଷ୍ଠିତ ହୋଇଥିଲା। ସ୍ୱିଡେନ, ଡେନମାର୍କ, ଆଇଲ୍ୟାଣ୍ଡ, ନରୱେ ଓ ଫିନଲ୍ୟାଣ୍ଡକୁ ନୋରଡିକ ରାଷ୍ଟ୍ର ବୋଲି କୁହାଯାଇଥାଏ।