ଜଳକର ବାକି ୩ ହଜାର କୋଟି

0
845
mahanadi
mahanadi
ଭୁବନେଶ୍ୱର : ବଡ଼ ବଡ଼ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କର ପ୍ରାୟ ୩ହଜାର ୭୫ କୋଟି ଟଙ୍କା  ଜଳକର  ବାକି ପଡ଼ିଛି । ଏହା ପୈଠ କରିବା ପରିବର୍ତେ ଅନେକ ସଂସ୍ଥା ଅଦାଲତରୁ ରହିତାଦେଶ ଆଣିବା ଫଳରେ ରାଜ୍ୟ ରାଜକୋଷକୁ ଅଢ଼େଇ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ଆସିପାରୁନାହିଁ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ହିସାବରୁ ଏହା ଜଣାପଡ଼ିଛି ।

ଯେଉଁ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କୁ ଜଳକର ନ ଦେବା ଲାଗି ଆଇନ୍ ଅଦାଲତରେ ମାମଲା ରୁଜୁ କରିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛି ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍, ନାଲ୍କୋ, ବଲାରପୁର ଇଣ୍ଡଷ୍ଟ୍ରୀଜ୍, ଆରତି ଷ୍ଟିଲ୍, ପାରାଦୀପ ଫସ୍ଫେଟସ୍ , ଦକ୍ଷିଣ-ପୂର୍ବ ରେଳପଥ, ଟାଟା, ଓରିଏଂଟ କାଗଜ କଳ, ବେଦାନ୍ତ ଆଲୁମିନା, ଓଡ଼ିଶା ପାୱାର କନ୍ସୋର୍ଟିୟମ୍, ଜିନ୍ଦଲ, ରିଲାଏନ୍ସ, ମଙ୍ଗଳମ୍ ଟିମ୍ବର୍ସ, ଆସ୍କା ସମବାୟ ଚିନିକଳ, ସେବା କାଗଜକଳ ଇତ୍ୟାଦି ୨୮ଟି ସଂସ୍ଥା । ଏମାନେ ରୁଜୁ କରିଥିବା ମାମଲାଗୁଡ଼ିକ ଯୋଗୁ ୨,୫୦,୩୫୩ ଲକ୍ଷ ୩୬ ହଜାର ଟଙ୍କା ଆଦାୟ ହୋଇପାରୁନାହିଁ । ରାଜ୍ୟର ଆଉ ୨୬୧ଟି ସଂସ୍ଥା ଉପରେ ୫୭୧ କୋଟି ୧୦ ଲକ୍ଷ ଟଙ୍କାର ବାକିଆ ଗଡ଼ୁଛି । ଏଗୁଡ଼ିକର ଡିଭିଜନ୍ୱାରୀ ହିସାବ ମନ୍ତ୍ରୀ ପ୍ରଦାନ କରିଛନ୍ତି । ଏହି ସଂସ୍ଥାଗୁଡ଼ିକ ମଧ୍ୟରେ ଇଡକୋ, ନିଳାଚଳ ଇସ୍ପାତ ନିଗମ, ଇମ୍ଫା, ଫାକର୍, ବାଲେଶ୍ୱର ଆଲଏଜ୍, ଓଡ଼ିଶା ଖଣି ନିଗମ, ଇଡକଲ୍, ପାରାଦୀପ ବନ୍ଦର, ମାହେଶ୍ୱରୀ ଇସ୍ପାତ, ଆଧୁନିକ ମେଟାଲିକ୍ସ, ଏମ୍ସିଏଲ୍, ବରଗଡ଼ ସମବାୟ ଚିନିକଳ, ଏସାର ଷ୍ଟିଲ୍, ବିର୍ଲା ଟାୟାର୍ସ, ପୂର୍ବତଟ ରେଳପଥ ସମେତ ବହୁ କଳ କାରଖାନା, ଖଣି, ପୌର ସଂସ୍ଥା ଓ ଜଳଯୋଗାଣକାରୀ ସଂସ୍ଥାଙ୍କ ନାମ ରହିଛି। ରାଜ୍ୟରେ ପ୍ରବାହିତ ନଦୀ ଜଳ ବ୍ୟବହାର କରି ଏମାନେ ମୋଟା ଅଙ୍କର ଟିକସ ଦେଉନାହାନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ନ୍ୟାୟାଳୟରେ ବିବିଧ ମାମଲା ରୁଜୁ କରି ବକେୟା ଅର୍ଥ ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି । ଯେଉଁ ରାଷ୍ଟ୍ରାୟତ ଉଦ୍ୟୋଗମାନଙ୍କ ଉପରେ ଜଳକର ବାକି ରହିଛି ସେଗୁଡ଼ିକୁ ଆଦାୟ କରିବା ପାଇଁ ପଦକ୍ଷେପ ନିଆଯାଉଛି ।