ଝିଅଙ୍କୁ ନ୍ୟାୟ ମିଳିକି ହିଁ ରହିବ : ମୋଦୀ

0
881
modi
modi

ନୂଆଦିଲ୍ଲୀ :  କଠୁଆ ଓ ଉନ୍ନାଓ ଗଣ ବଳାତ୍କାର ମାମଲା ପୁରା ଦେଶକୁ ଲଜ୍ଜିତ କରିଛି।  ଝିଅଙ୍କୁ ନ୍ୟାୟ ମିଳିକି ହିଁ ରହିବ। ସେମାନଙ୍କୁ ନ୍ୟାୟ ଦେବା ଆମର ଦାୟିତ୍ଵ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଶେଷରେ କଠୁଆ ଓ ଉନ୍ନାଓ ଗଣ ବଳାତ୍କାର ମାମଲାରେ ନିଜର ନିରବତା ଭାଙ୍ଗି  କହିଛନ୍ତି ।

ପିଏମ ମୋଦୀ  ନୂଆଦିଲ୍ଲୀରେ ଡଃ ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକର ଲୋକାର୍ପଣ ଅବସରରେ କହିଛନ୍ତି, ଯେଉଁ ଭଳି ଘଟଣା ଆମେ ବିଗତ ଦିନରେ ଦେଖିଛନ୍ତି ତାହା ସମାଜର ଅବଧାରଣା ଏବଂ ଚେତନାକୁ ଦୋହଲାଇ ଦେଇଛି।  ଗତ ୨ ଦିନ ଧରି ଯେଉଁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ତାହା କୌଣସି ସଭ୍ୟ ସମାଜ ପାଇଁ ନିନ୍ଦନୀୟ ଅଟେ। ଗୋଟିଏ ସମାଜ ଭାବେ, ଗୋଟିଏ ଦେଶ ରୂପେ ଏହି ଘଟଣା ସମସ୍ତଙ୍କ ପାଇଁ ଲଜ୍ଜାଜନକ ଅଟେ।  ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର କୌଣସି ରାଜ୍ୟ, କୌଣସି କ୍ଷେତ୍ରରେ ଘଟୁଥିବା ଏମିତି ଘଟଣା ଆମର ମାନବିକତାର ସୀମା ଉଲ୍ଲଂଘନ କରୁଛି। ମୁଁ ଦେଶକୁ ବିଶ୍ଵାସ ଦେବାକୁ ଚାହୁଁଛି ଯେ କୌଣସି ଅପରାଧୀ ବଞ୍ଚିବେ ନାହିଁ। ପୀଡିତାଙ୍କୁ ନ୍ୟାୟ ମିଳିକି ହିଁ ରହିବ। ଏହି ସମୟରେ ମୋଦୀ କହିଛନ୍ତି ଯେ ଆମ ସମାଜରେ ଏହି କଳୁଷିତ ମନ୍ଦ ଜିନିଷକୁ ସମାପ୍ତ କରିବାର କାମ ଆମ ସମସ୍ତଙ୍କର ରହିଛି। ଏମିତି ଘଟଣାରେ ସମାଜକୁ ଚିନ୍ତା କରିବାର ଆବଶ୍ୟକତା ରହିଛି।  ଉନ୍ନାଓ ଓ କଠୁଆ ଘଟଣାକୁ ନେଇ ସାରା ଦେଶ ପ୍ରତିକ୍ରିୟାଶୀଳ ହୋଇ ଉଠିଛି।   ବିରୋଧ ପ୍ରଦର୍ଶନ ଜାରି ରହିଛି। ଗୁରୁବାର ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଇଣ୍ଡିଆ ଗେଟରୁ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିଥିଲେ।  ଏହି ପ୍ରଦର୍ଶନରେ ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭାଦ୍ରାଙ୍କ ବ୍ୟତୀତ ସମସ୍ତ ବରିଷ୍ଠ କଂଗ୍ରେସ ନେତା ସାମିଲ ଥିଲେ।

ଏବେ ଉନ୍ନାଓ ଗଣ ବଳାତ୍କାର ମାମଲାର ତଦନ୍ତ ଦାୟିତ୍ଵ ସିବିଆଇ ହାତରେ ରହିଛି। ଯାଞ୍ଚ ଏଜେନ୍ସି ଲକ୍ଷ୍ନୌରୁ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କୁ ଶୁକ୍ରବାର ଭୋର ସକାଳୁ ନିଜ ହେପାଜତରେ ନେଇଥିଲା।  ବାଙ୍ଗରମଉରୁ ବିଧାୟକ ସେଙ୍ଗର ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଅନ୍ୟ ପଟେ କାଠୁଆ ଗଣ ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଅଭିଯୁକ୍ତକୁ ଗିରଫ କରାଯାଇଛି।