ଟାର୍ଗେଟରୁ ଅଧିକ ଆୟ : ବିଏମସିର ରେକର୍ଡ ୧୩୫ କୋଟି

0
910
bmc
bmc

ଭୁୁବନେଶ୍ୱର : ଟାର୍ଗେଟରୁ ଅଧିକ  ଆୟ କରିଛି ଭୁବନେଶ୍ୱର ମହାନଗର ନିଗମ।  ଭୁବନେଶ୍ୱର ମହାନଗର ନିଗମ ରାଜ୍ୟର ଅନ୍ୟ ମହାନଗର ନିଗମ ଗୁଡ଼ିକର ତୁଳନାରେ ଅଧିକ ରାଜସ୍ୱ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଛି । ଆର୍ଥିକ ବର୍ଷ ୨୦୧୭-୧୮ରେ ୧୧୦ କୋଟି ଟଙ୍କା ରାଜସ୍ୱ ଆଦାୟ କରୁବାକୁ ଟାର୍ଗେଟ ରଖି ୧୩୫ କୋଟି ଟଙ୍କା ଆଦାୟ କରିଛି । ଏହାହେଉଛି ବିଏମସିର ସର୍ବକାଳୀନ ରେକର୍ଡ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାଗିଦ କରିବା ପରେ ବିଏମସି ଏତେ ପରିମାଣରେ ଟଙ୍କା ଅସୁଲି କରିପାରିଛି ।

ଆର୍ଥିକ ବର୍ଷ ୨୦୧୮-୧୯ରେ ବିଏମସି ୧୩୫ କୋଟି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛି । ବିଏମସି ଡେପୁଟି କମିଶନର(ରାଜସ୍ୱ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ବିଏମସି ଟାର୍ଗେଟରୁ ଅଧିକ ରାଜସ୍ୱ ଆଦାୟ କରିବ । ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୧୫-୧୬ରେ ବିଏମସି ୭୬ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିଲା । ସେହିଭଳି ଆର୍ଥିକ ବର୍ଷ ୨୦୧୬-୧୭ରେ ୧୦୦ କୋଟି ଛୁଇଁ ଥିଲା ।

ଆର୍ଥିକ ବର୍ଷ ୨୦୧୬-୧୭ରେ ବିଏମସି ଗୃହ ଟିକସ ବାବଦକୁ ୩୫.୦୭ କୋଟି ଟଙ୍କା ଆଦାୟ କରିଥିବାବେଳେ ୨୦୧୭-୧୮ରେ ୪୧.୦୮ ଆଦାୟ କରିଛି । ସେହିପରି ଟ୍ରେଡ ଲାଇସେନ୍ସ ବାବଦକୁ ୪.୮୨ କୋଟି ଆଦାୟ କରିଥିବାବେଳେ ଏଥର ୪.୯୮ କୋଟି, ବିଜ୍ଞାପନ ବାବଦକୁ ଗତ ଥର ୧୫.୮୫ କୋଟି, ଅନ୍ୟାନ୍ୟ ରାଜସ୍ୱ ବାବଦକୁ ୩୯ କୋଟି ଟଙ୍କା ଆଦାୟ କରିଥିବା ବେଳେ ଏଥର ୬୪.୨୯ କୋଟି ଟଙ୍କା ଆଦାୟ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।