ତାରପୁର ଏମଆଇଡିସି ୟୁନିଟରେ ବିସ୍ଫୋରଣ : ୩ ମୃତ, ୧୦ ଆହତ

0
849

ମୁମ୍ବାଇ, ମାର୍ଚ୍ଚ ୦୯ (ଖବର ଓଡ଼ିଶା): ବୋଇସର-ତାରପୁରସ୍ଥିତ ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମର ୪ଟି ଔଷଧ କାରଖାନାରେ ଗୁରୁବାର ବିଳମ୍ବିତ ରାତିରେ କ୍ରମାଗତ ବିସ୍ଫୋରଣ ହେବାରୁ ୩ ମୃତ, ୧୦ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତ କରାଯାଇଛି । ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୩ଜଣ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦମକଳ ବାହିନୀ ପକ୍ଷରୁ ନିଅାଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି । ପ୍ରାଥମିକ ରିପୋର୍ଟ ଅନୁସାରେ ବୋଇସର ଶିଳ୍ପାଞ୍ଚଳସ୍ଥିତ ମହାରାଷ୍ଟ୍ର ଶିଳ୍ପ ଉନ୍ନୟନ ନିଗମର ନୋଭାଫାଇନ ସ୍ପେଶିଆଲିଟି ଲିମିଟେଡ ଇ-୧୦୭ରେ ବିସ୍ଫୋରଣ ହୋଇଥିଲା । ପାଳଘର ପୋଲିସ ସୁପରିଟେଣ୍ଡେଣ୍ଟ ମଞ୍ଜୁନାଥ ସିଂହ କହିଛନ୍ତି, ୩ଜଣ ଶ୍ରମିକ ମୃତ । ନିଅାଁ ଲିଭା କାମରେ ଦମକଳ ବାହିନୀ ବ୍ୟସ୍ତ ଅଛନ୍ତି । ଏହି ଅଞ୍ଚଳରେ ହାଇଆଲର୍ଟ ଜାରି କରି ଦିଆଯାଇଛି । କାରଖାନାରେ ବ୍ୟବହାର ହେଉଥିବା ରାସାୟନିକ ଦ୍ରବ୍ୟ ଯୋଗୁଁ ଏହି ବିସ୍ଫୋରର ହୋଇଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣ ପରେ ଏହା ନିକଟରେ ଥିବା ଅନ୍ୟ ୩ଟି ୟୁନିଟକୁ ବ୍ୟାପିଥିଲା ବୋଲି ସେ କହିଛନ୍ତି । ଏହି ବିସ୍ଫୋରଣ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ବୋଲି ଏସପି କହିଛନ୍ତି । ଜିଲ୍ଳା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।