ତିନି ବର୍ଷରେ ସର୍ପାଘାତରେ ୧୭୧୬ ମୃତ

0
799
snake bite death
snake bite death
ଭୁବନେଶ୍ୱର : ରାଜ୍ୟରେ ୩ ବର୍ଷରେ ସର୍ପାଘାତରେ ୧୭୧୬ ଜଣଙ୍କ ମୃତ୍ୟୁ ଘଟିଛି ।  ମେ ଠାରୁ ଅକ୍ଟୋବର ମାସରେ ୮୫ ପ୍ରତିଶତ ସର୍ପାଘାତର ଘଟଣା ଘଟିଛି । ଆଣ୍ଟିଭେନମ୍ ମହଜୁଦ୍ ପାଇଁ ପରାମର୍ଶ ଦିଆଯାଇଛି ।
  ସର୍ପାଘାତରେ ବ୍ୟାପକ ମୃତ୍ୟୁକୁ ଆଖି ଆଗରେ ରଖି ବୁଧବାର ରାଜ୍ୟସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏ ସଂପର୍କିତ ବୈଠକରେ ସର୍ପାଘାତର ମୁକାବିଲା ପାଇଁ ପ୍ରତିଶେଧକ ବ୍ୟବସ୍ଥା ଗୁଡ଼ିକ ସଂପର୍କରେ ଆଲୋଚନା କରାଯାଇଥିଲା । ୨୦୧୫-୧୬ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ସର୍ପାଘାତ କାରଣରୁ ୧୭୧୬ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ  ସୂତ୍ରରୁ ପ୍ରକାଶ । ୨୦୧୫-୧୬ରେ ୪୪୬ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୧୬-୧୭ ବର୍ଷରେ ୫୭୪ ଏବଂ ୨୦୧୭-୧୮ ବର୍ଷରେ ୬୯୬ ଜଣଙ୍କ ମୃତ୍ୟୁ ସର୍ପାଘାତ କାରଣରୁ ଘଟିଛି । ରାଜ୍ୟରେ ଘଟିଥିବା ସମସ୍ତ ବିପର୍ଯ୍ୟୟ ଜନିତ ମୃତ୍ୟୁକୁ ଏହା ବଳିଯାଇଛି ବୋଲି ମତ ପ୍ରକାଶ ପାଇଛି ।

ସର୍ପାଘାତରେ ସର୍ବାଧିକ ମୃତ୍ୟୁ ଘଟିଛି ବାଲେଶ୍ୱର ଜିଲ୍ଲାରେ । ବାଲେଶ୍ୱରରେ ୧୭୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଗଞ୍ଜାମ । ଗଞ୍ଜାମରେ ୧୪୭ ଓ କେନ୍ଦୁଝର ତଥା ମୟୂରଭଞ୍ଜ ଜିଲ୍ଲାରେ ୧୪୫ ଜଣ ସର୍ପାଘାତରେ ମୃତ୍ୟୁବରଣ କରିଛନ୍ତି । ମେ ଠାରୁ ଅକ୍ଟୋବର ମାସରେ ୮୫ ପ୍ରତିଶତ ସର୍ପାଘାତର ଘଟଣା ଘଟିଛି । ସର୍ପାଘାତକୁ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ଆଣ୍ଟିଭେନମ୍ ମହଜୁଦ୍ ପାଇଁ ପରାମର୍ଶ ଦିଆଯାଇଛି । ସର୍ପାଘାତର ସମ୍ବେଦନଶୀଳ ଅଂଚଳରେ ଆମ୍ବୁଲାନ୍ସ ଓ ଡାକ୍ତର ନିଯୁକ୍ତିକୁ ନିଶ୍ଚିତତା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।