ତୈଳ ଦର ନବଢାଇବାକୁ କମ୍ପାନୀଙ୍କୁ କହିଲେ ସରକାର

0
1026
petrol pump
petrol pump

ନୂଆଦିଲ୍ଲୀ :   କେନ୍ଦ୍ର ସରକାର ତୈଳ ବିପଣନକାରୀ କମ୍ପାନୀଙ୍କୁ ଡିଜେଲ  ଓ ପେଟ୍ରୋଲର ଖୁଚୁରା ଦରକୁ ଆଉ ନବଢାଇବାକୁ କହିଛନ୍ତି। ଚତୁର୍ଦ୍ଦିଗରୁ କେନ୍ଦ୍ର ସରକାରଙ୍କ ଉପରେ ତୈଳ ଦର ଉପରେ ଅଙ୍କୁଶ ଲଗାଇବାକୁ ଚାପ ପରେ ଏହା କହିଛନ୍ତି।

ବିଶ୍ଵ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶର ତୈଳ ବଜାରରେ ଲାଗିଛି ନିଆଁ। ଏବେ ଦେଶରେ ପେଟ୍ରୋଲ ଲିଟର ପିଛା ୭୫ ରୁ  ଅଧିକ ଟଙ୍କାରେ ବିକ୍ରି ହେଉଥିବା ଡିଜେଲ ୬୩ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ଚତୁର୍ଦ୍ଦିଗରୁ କେନ୍ଦ୍ର ସରକାରଙ୍କ ଉପରେ ତୈଳ ଦର ଉପରେ ଅଙ୍କୁଶ ଲଗାଇବାକୁ ଚାପ ପଡ଼ୁଛି। ଏହା ମଧ୍ୟରେ ଖବର ଆସିଛି ଯେ କେନ୍ଦ୍ର ସରକାର ତୈଳ ବିପଣନକାରୀ କମ୍ପାନୀଙ୍କୁ ଡିଜେଲ  ଓ ପେଟ୍ରୋଲର ଖୁଚୁରା ଦରକୁ ଆଉ ନବଢାଇବାକୁ କହିଛନ୍ତି। ସରକାର ତୈଳ କମ୍ପାନୀଗୁଡିକୁ ଏହା ମଧ୍ୟ କହିଛନ୍ତି ଯେ ବିଶ୍ଵ ବଜାରରେ ଅଶୋଧିତ ତୈଳ ବୃଦ୍ଧି ପାଇଛି। ଏହି ବୃଦ୍ଧିକୁ ଟିକେ ଏଡାଇ  ତୈଳ କମ୍ପାନୀ କିଛି ପ୍ରତିଶତ କ୍ଷତି ଉଠାଇବାକୁ ପ୍ରସ୍ତୁତ ରୁହନ୍ତୁ।

ବ୍ଲୁମର୍ଗର ଏକ ରିପୋର୍ଟରୁ ଜଣା ପଡିଛି ଯେ, ଇଣ୍ଡିଆନ ଓଏଲ କୋର୍ପୋରେସନ, ଭାରତ ପେଟ୍ରୋଲିୟମ କୋର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କୋର୍ପୋରେସନଙ୍କୁ ଡିଜେଲ ଓ ପେଟ୍ରୋଲ ବିକ୍ରିରେ ଲିଟର ପ୍ରତି ଏକ ଟଙ୍କା କ୍ଷତି ଉଠାଇବାକୁ ପଡ଼ିବ। ମଙ୍ଗଳବାର ଇଣ୍ଡିଆନ ଓଏଲର ଅଂଶଧନରେ ୭.୬ ପ୍ରତିଶତ ହ୍ରାସ ପାଇଥିଲା। ଯାହା ୨୦୧୬ ନଭେମ୍ବର ପରେ ଗୋଟିଏ ଦିନର କାରବାରରେ ଏହା ହେଉଛି ସବୁଠୁ ବଡ଼ ହ୍ରାସ। ଅନ୍ୟ ପଟେ ହିନ୍ଦୁସ୍ତାନ ପେଟ୍ରୋଲିୟମ କୋର୍ପୋରେସନ ଲିମିଟେଡର ସେୟାରରେ ମଧ୍ୟ ୮.୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା।

ସରକାର ଚଳିତ ବର୍ଷ ଅନେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲର ଦର କାବୁ କରିବାକୁ ଚାହୁଁଛନ୍ତି। ଆବଶ୍ୟକତା ଦୃଷ୍ଟିରୁ ବର୍ଷକୁ ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରୁଥିବା ଭାରତ ଚାହୁଁଛି ଯେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୫୦ ଡଲାର ପାଖାପାଖି ରହୁ, ଯଦ୍ଵାରା ଅର୍ଥ ବ୍ୟବସ୍ଥା ସୁବିଧାଜନକ ସ୍ଥିତିରେ ରହୁ। ଜିଏସଟିରେ ଆଶା ମୁତାବକ ରାଜସ୍ଵ ସଂଗ୍ରହ ନହେବା କାରଣରୁ ଏହାର ସମ୍ଭାବନା ବହୁତ କମ ଯେ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରି ଜନତାଙ୍କୁ ଆଶ୍ଵସ୍ତି ଦେବେ। ଯଦି ଅଶୋଧିତ ତୈଳ ଦର ଆଗାମୀ ସମୟରେ ଆହୁରି ବଢେ ତେବେ ସେହି ସ୍ଥିତିରେ ସବସିଡି  ଦେବା ପାଇଁ ତୈଳ ମନ୍ତ୍ରଣାଳୟକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ନୂଆଦିଲ୍ଲୀରେ  ଇଣ୍ଟରନ୍ୟାସନାଲ ଏନର୍ଜି ଫୋରମର ବୈଠକ ପରେ ଏଚପିସିଏଲର ଅଧ୍ୟକ୍ଷ  ଏମ.କେ. ସୁରାନା କହିଛନ୍ତି।

ଉଲ୍ଲେଖଯୋଗ୍ୟ ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ସଂଯୋଗବଶତଃ ବିଶ୍ଵ ବଜାରରେ ଅଶୋଧିତ ତୈଳ ଦରର ବଡ଼ ଧରଣରେ ହ୍ରାସ ପାଇଥିଲା। ଏପରିକି ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୨୭.୧ ଡଲାରର ନିମ୍ନ ସ୍ତରରେ ପହଞ୍ଚି ଯାଇଥିଲା। ମାତ୍ର ଏବେ ଚିତ୍ର ସଂପୂର୍ଣ୍ଣ ଭାବେ ଓଲଟା। ଏବେ ବିଶ୍ଵ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୭୦ ଡଲାରରେ ବିକ୍ରି ହେଉଛି।