ତୈଳ ଦର ବୃଦ୍ଧି : ଗୃହରେ ହଟ୍ଟଗୋଳ

0
969
assembly
assembly
ଭୁବନେଶ୍ୱର : ତୈଳ ବୃଦ୍ଧି ନେଇ ବିଧାନସଭା ଗୃହରେ ହଟ୍ଟଗୋଳ। ମୁଖ୍ୟ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । ବିଜେପି ବିଧାୟକମାନେ ନୟାଗଡ଼ ମଧ୍ୟଖଣ୍ଡ କାରାଗାରରେ ହାଜତ ମୃତ୍ୟୁକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଦେଶରେ ଅହେତୁକଭାବରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର କମିଥିଲେ ମଧ୍ୟ ଦେଶରେ ତୈଳ ଦର କ୍ରମାଗତଭାବେ ବଢ଼ି ଚାଲିଛି । ଯାହାର ପ୍ରତିବାଦର ସ୍ୱର ଆଜି ଓଡ଼ିଶା ବିଧାନସଭା ଗୃହରେ ଉଠିଛି । ଆଜି ଗୃହ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହୋହଲ୍ଲା କରିବା ଆରମ୍ଭ କରି ଦେଇଥିଲେ । ତୈଳ ଦର ବୃଦ୍ଧି ପ୍ରତିବାଦରେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି କଂଗ୍ରେସ ସଦସ୍ୟମାନେ ନାରାବାଜି କରିବା ସହ ହୋହଲ୍ଲା କରିଥିଲେ । କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ଆନ୍ତର୍ଜାତୀୟ ସ୍ତରରେ ତୈଳଦର କମିଥିଲେ ମଧ୍ୟ ଏହା ଦେଶରେ କମିନାହିଁ । ଏଥିପାଇଁ କେନ୍ଦ୍ର ସରକାର ଅଧିକ ଦାୟୀ ରହିଥିବାବେଳେ ରାଜ୍ୟ ସରକାର କିଛି ପରିମାଣରେ ଦାୟୀ ରହିଛନ୍ତି । ରାଜ୍ୟ ସରକାର ଟିକସ କମାଇବେ କି ନାହିଁ ଗୃହରେ ତାହାର ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି । ଅନ୍ୟପକ୍ଷରେ ନୟାଗଡ଼ ମଧ୍ୟଖଣ୍ଡରେ ହାଜତ ମୃତ୍ୟୁକୁ ନେଇ ବିଜେପି ବିଧାୟକମାନେ ନାରାବାଜି ଆରମ୍ଭ କରି ଦେଲେ । ଫଳରେ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଏକ ଘଂଟା ପାଇଁ ମୁଲତବୀ ଘୋଷଣା କରିଥିଲେ ।

ତେବେ ଜିଏସ୍‌ଟି କମାଇବା ନେଇ ବିଜେଡି ମୁଖପାତ୍ର ଅମର ଶତପଥୀ ପ୍ରତିକ୍ରିୟା ରଖି କହିଛନ୍ତି ଅନ୍ତ୍ୟଃରାଜ୍ୟ ତୁଳନାରେ ଜିଏସଟି କମ ରହିଛି  । ଦେଶରେ ଏକ୍ସାଇଜ ଡ୍ୟୁଟି ଓ ସେସ୍‌ ଲଗାମଛଡା ହୋଇଥିବା ସେ ପ୍ରକାଶ କରିଛନ୍ତି ।