ଭୁବନେଶ୍ୱର : ଦୁଇ ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଅଭିଯୋଗ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନୟାପଲ୍ଲୀ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ରିଜର୍ଭ ପୋଲିସକୁ ବଦଳି କରାଯାଇଛି। ଏଥିସହ ୨ ମହିଳା ଏସ୍ଆଇଙ୍କୁ ମଧ୍ୟ ବଦଳି କରାଯାଇଥିବା ସୂଚନା ମିଳିଛି।
ଜମି ବିବାଦକୁ ନେଇ ଥାନାକୁ ଯାଇଥିଲା ବେଳେ ଦୁଇ ଯୁବତୀଙ୍କୁ ନୟାପଲ୍ଲୀ ଥାନା ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ସୋସିଆଲ ମିଡିଆରେ ଏ ସମ୍ବନ୍ଧିୟ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ମାଡ ଖାଇ ଦ୍ୱୟ ଯୁବତୀଙ୍କ ଜଙ୍ଘ ଓ ହାତ ଫାଟି ଯାଇଥିବା ଦେଖାଯାଇଥିଲା। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସଂପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଥିଲା। ଏହା ପରେ ପୋଲିସ କମିଶନର ଓ୍ୱାଇ. ବି. ଖୁରାନିଆ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ତାଙ୍କର ଏହି ହସ୍ତକ୍ଷେପ ପରେ ଏହି ଘଟଣାରେ ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ ଘଟଣାର ତଦନ୍ତ କରୁଛନ୍ତି। ନୟାପଲ୍ଲୀ ଥାନା ଅଧିକାରୀଙ୍କ ବଦଳା କରାଯାଇ ତାଙ୍କ ଜାଗାରେ ଉମା ନାୟକଙ୍କୁ ଆଇଆଇସି ଦାୟିତ୍ୱ ଦିଆଯାଇଛି।