ଧରାପଡ଼ିଲା ଆୟକର ରିଟର୍ଣ୍ଣ ଜାଲିଆତି

0
1066
645193-income-tax-reuters
645193-income-tax-reuters

ବେଙ୍ଗାଲୁରୁ: ନୀରବ ମୋଦି ଠକେଇ ଘଟଣା ପଦାକୁ ଆସିବା ପରେ ଧିରେ ଧିରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ଓ ଆୟକର ବିଭାଗରେ ଜାଲିଆତିର ଗୁମର ଖୋଲୁଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ବଡ଼ ଧରଣର ଠକେଇକୁ ନେଇ ଏବେ ଚର୍ଚା ଚାଲିଛି। ହୀରା ଗହଣା ଡିଜାଇନର ତଥା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସି ପିଏନ୍‌ବିରୁ ପ୍ରାୟ ୧୨,୭୦୦ କୋଟି ଟଙ୍କା ଠକିନେଇଛନ୍ତି। ପିଏନ୍‌ବି ଠକେଇ କରେ ଏବେ ଆୟକର ବିଭାଗରେ ହୋଇଥିବା ଏକ ଠକେଇ ପଦାକୁ ଆସିଛି। ଇନ୍‌ଫୋସିସ୍‌ର କେତେଜଣ ଅଜଣା କର୍ମଚାରୀ, ଆୟକର ବିଭାଗର ଅଧିକାରୀ ଓ ବେଙ୍ଗାଲୁରୁର ଜଣେ ନକଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ମିଳିମିଶି ଏହି ଜାଲିଆତି ହୋଇଛି। ଗତ ଜାନୁଆରିରେ ଆୟକର ବିଭାଗ ଏହି ଜାଲିଆତି ସଂପର୍କରେ ଜାଣିବାକୁ ପାଇଥିଲା। ଏ ନେଇ ସିବିଆଇରେ ଦିଆଯାଇଥିବା ଏଫଆଇଆର୍‌ରୁ ଜଣାଯାଇଛି ଯେ ଆୟକର ବିଭାଗର କେତେଜଣ ଅଧିକାରୀ ଏବଂ ଇନ୍‌ଫୋସିସ୍‌ର କିଛି ଅଧିକାରୀ ନକଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌( ଆଇସିଏଆଇର ସଦସ୍ୟ ନଥିବା)ଙ୍କ ମିଳିମିଶି ୧୦୧୦ଟି ସଂଶୋଧିତ ଟିକସ ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। ବିଭିନ୍ନ ଘରୋଇ କଂପାନିର ୨୫୦ଜଣ ଟିକସଦାତାଙ୍କ ନାମରେ ନକଲି ଦସ୍ତାବିଜ ଦାଖଲ କରି ରିଟର୍ଣ୍ଣ ଫାଇଲ୍‌ କରି ବେଆଇନ ଭାବେ ରିଫଣ୍ଡ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଆୟକର ରିଟର୍ଣ୍ଣ ଗୁଡ଼ିକର ଇ-ରିଟର୍ଣ୍ଣ ପ୍ରୋସେସିଂ ପାଇଁ ଇନ୍‌ଫୋସିସ୍‌ କାର୍ୟ୍ୟ କରୁଛି। ନକଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନାଗେଶ ଶାସ୍ତ୍ରୀ ରିଟର୍ଣ୍ଣ ଫାଇଲ କରୁଥିବାବେଳେ ଏଥିରେ ତାଙ୍କୁ ଇନ୍‌ଫୋସିସ୍‌ ଓ ଆୟକର ବିଭାଗର କର୍ମଚାରୀମାନେ ସହଯୋଗ କରୁଥିଲେ। ତେବେ ଏହି ଅଭିଯୋଗ ଉପରେ ଇନ୍‌ଫୋସିସ୍‌ର ଜଣେ ପ୍ରବକ୍ତା ମତାମତ ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ ଏଫ୍‌ଆଇଆର୍‌କୁ ନଦେଖି କଂପାନି କୌଣସି ମତାମତ ଦେବ ନାହିଁ। ଏସ୍‌ଏସ୍‌କେ ଆସୋସିଏଟ୍ସର ପାର୍ଟନର ନାଗେଶ ଶାସ୍ତ୍ରୀ ସିପିସି ଏବଂ ଆୟକର ବିଭାଗର ଅଜ୍ଞାତ ଅଧିକାରୀ ଓ କିଛି ଅନ୍ୟ ଅଜଣା ଲୋକଙ୍କ ସହ ମିଶି ଏହି ନକଲି ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। ଭୁଲ ସୂଚନା ପ୍ରଦାନ କରି ୫ କୋଟି ଟଙ୍କାର କ୍ଲେମ୍‌ ମଧ୍ୟ ଦାବି କରାଯାଇଛି। ଇନ୍‌ଫୋସିସ୍‌ ଏକାଥରକେ ବହୁ ସଂଖ୍ୟକ ରିଟର୍ଣ୍ଣର ବୈଧତା ଯାଞ୍ଚ କରିଥାଏ ଏବଂ ଯେଉଁଗୁଡ଼ିକର ରିଫଣ୍ଡ୍‌ ମଞ୍ଜୁର ହୁଏ ସେଗୁଡ଼ିକର ଏକ ତାଲିକା ପ୍ରକାଶ କରିଥାଏ। ସିପିସିରେ କାର୍ୟ୍ୟ କରୁଥିବା ଆୟକର ବିଭାଗର ଆସେସିଂ ଅଫିସର ଏସବୁ ରିଫଣ୍ଡ୍‌କୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରିବା ଲାଗି ମଞ୍ଜୁରି ଦେଇଥାନ୍ତି। ତେଣୁ ଇନ୍‌ଫୋସିସ୍‌ର କର୍ମଚାରୀ, ଆୟକର ବିଭାଗର ଅଧିକାରୀ ଓ ନକଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମିଶି ଏହି ଜାଲିଆତି କରିଥିବା ଏଫଆଇଆର୍‌ରେ ଦର୍ଶାଯାଇଛି।