ନାବାଳକ ଅପହରଣ ମାମଲାର ପର୍ଦ୍ଦାଫାଶ : ୫ ଗିରଫ

0
810
commissioner of police
commissioner of police

ଭୁବନେଶ୍ୱର: ରାଜଧାନୀରେ ଘଟିଥିବା ନାବାଳକ ଅପହରଣ ମାମଲାର ସୋମବାର ପରଦାଫାସ କରିଛି କମିଶନରେଟ ପୁଲିସ୍  । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୭ହଜାର ଟଙ୍କା ଜବତ କରିଛି  । ଗିରଫ ସମସ୍ତ ଅଭିଯୁକ୍ତ ଛାତ୍ର ଓ ସେମାନଙ୍କ ଘର ପୁରୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଏହି ରାକେଟ୍ ପଛରେ ଜଣେ ଯୁବତୀଙ୍କ ସଂପୃକ୍ତି ରହିଛି ଏବଂ ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ପୋଲିସ କମିଶନର ୱାଇ. ବି ଖୁରାନିଆ ସୂଚନା ଦେଇଛନ୍ତି। ପୋଲିସ ସୂତ୍ରନୁସାରେ, ଅଭିଯୁକ୍ତମାନେ ଫେସ୍‌ବୁକ୍‌ରେ ଯୁବତୀଙ୍କ ଫେକ୍‌ ଆଇଡି ତିଆରି କରି ନାବାଳକଙ୍କୁ ଟାର୍ଗେଟ୍ କରୁଥିଲେ । ସେମାନଙ୍କୁ ଫସେଇବା ପରେ ତାଙ୍କୁ ଅପହରଣ କରାଯାଉଥିଲା। ଏହି କୌଶଳରେ ଗତ ୨୬ ତାରିଖରେ ଭୁବନେଶ୍ୱର ଶୈଳଶ୍ରୀବିହାରରୁ ଅଭିଯୁକ୍ତମାନେ ବିଜୁ ପଟ୍ଟନାୟକ କଲେଜର ୧୭ ବର୍ଷର ଛାତ୍ରକୁ କାରରେ ଅପହରଣ କରିନେଇଥିଲେ। ପରେ ଅପହୃତ ପରିବାରକୁ ୧୧ ଲକ୍ଷ ମୁଣ୍ଡ ଜାମିନ୍ ମାଗିଥିଲେ। ଏ ନେଇ ଅପହୃତଙ୍କ ପରିବାରଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଦିଆଯାଇଥିଲା ।
କ୍ରମେ ଗତ ଫେବୃୟାରୀ ୨୮ ତାରିଖ ବିଳମ୍ବିତ ରାତିରେ ୨ ଲକ୍ଷ ଟଙ୍କା ନେବା ପରେ ଛାତ୍ରଙ୍କୁ ଅପହରଣକାରୀ ଛାଡ଼ିଥିଲେ । ଘଟଣାର ଖୋଳତାଡ଼ ପରେ ଆଜି କମିଶନରେଟ୍ ପୋଲିସର ଏକ ସ୍ପେଶାଲ ସ୍କ୍ୱାଡ୍ ବମିଖାଲରୁ ସମସ୍ତ ୫ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ୍ ଗୋପାଳ କୃଷ୍ଣ ମହାପାତ୍ର, ଶୁଭରାଜ୍ ବେହେରା, ସୌମ୍ୟ ରଞ୍ଜନ ମିଶ୍ର, ଅଭିଜିତ୍ ମିଶ୍ର ଏବଂ ସିଦ୍ଧାର୍ଥ ମହାପାତ୍ର । ସେମାନଙ୍କ ମଧ୍ୟରୁ ୨ ଜଣ ବି.ଟେକ୍, ଜଣେ ଡିପ୍ଲୋମା, ଜଣେ ଆଇଟିଆଇ ଏବଂ ଅନ୍ୟ ଜଣେ ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ କଲେଜର ଛାତ୍ର ବୋଲି ପୋଲିସ ଜାଣିବାକୁ ପାଇଛି। ଅଭିଜିତ୍ ଓ ସିଦ୍ଧାର୍ଥଙ୍କ ବୟସ ୧୯ ବର୍ଷରୁ କମ ହେବ । ଅଭିଯୁକ୍ତମାନେ ଏକ ବେଟିଂରେ ୪ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ ସେମାନେ ଏଭଳି ଏକ ନିଷ୍ପତି ନେଇଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ପୋଲିସ ତଦନ୍ତ ଜାରି ରହିଛି ।