ନାବାଳିକା ଦୁଷ୍କର୍ମକାରୀଙ୍କୁ ଏବେ ମିଳିବ ଫାଶୀ

0
937
death by hang
death by hang
ନୂଆଦିଲ୍ଲୀ :ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବଳାତ୍କାରୀଙ୍କୁ ଏବେ ମିଳିବ ଫାଶୀ ଦଣ୍ଡ। ଏହା ସହିତ ବଳାତ୍କାର ମାମଲାର ତଦନ୍ତ କରାଯାଇ ତ୍ୱରିତ ଶୁଣାଣୀ ହେବ ।  ଏ ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ମିଳିଛି ।
ଦିନକୁ ଦିନ ବଢ଼ି ଚାଲିଥିବା ନାବାଳିକାଙ୍କ ଦୁଷ୍କର୍ମ ମାମଲାରେ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବଳାତ୍କାରୀଙ୍କୁ ଏବେ ମିଳିବ ଫାଶୀ ଦଣ୍ଡ। ଏହା ସହିତ ବଳାତ୍କାର ମାମଲାର ତଦନ୍ତ କରାଯାଇ ତ୍ୱରିତ ଶୁଣାଣୀ ହେବ । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ସଂପର୍କିତ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏ ନେଇ ଖୁବଶୀଘ୍ର ଅଧ୍ୟାଦେଶ ଜାରି କରାଯିବ ବୋଲି ସୂଚନା ମିଳିଛି । ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା (ପୋକ୍ସୋ) ଆଇନରେ ସଂଶୋଧନ ନେଇ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲା । ୧୬ ବର୍ଷରୁ କମ୍‌ ଝିଅଙ୍କୁ ବଳାତ୍କାର କରୁଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ପ୍ରସ୍ତାବ ଆସିଥିଲା । ଯେଉଁଥିରେ କ୍ୟାବିନେଟ୍‌ ମୋହର ବାଜିଛି । ଏହି ଅଧ୍ୟାଦେଶ ଜାରି ହେଲେ ପୋକ୍ସୋ ଆଇନରେ ୧୨ରୁ କମ୍‌ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଫାଶୀ ଦଣ୍ଡ ଦିଆଯିବ ଭଳି ଆଇନ ଯୋଡ଼ା ଯିବ । ସେହିପରି ୧୨-୧୬ ବର୍ଷ ବୟସ ମଧ୍ୟ ନାବାଳିକାଙ୍କୁ ବଳାତ୍କାର କଲେ ଅପରାଧିଙ୍କୁ ଅତିକମ୍‌ରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବ । ଯାହାକୁ ଆଜୀବନ କାରାଦଣ୍ଡଭାବେ ବି ବର୍ଦ୍ଧିତ କରାଯିବ । ପୂର୍ବରୁ ଏହା ୧୦ ବର୍ଷ ଥିଲା । ଏହା ସହିତ ଦୁଷ୍କର୍ମ ମାମଲା ଆସିଲେ ତାହାର ତ୍ୱରିତ ତଦନ୍ତ କରାଯାଇ ଶୁଣାଣି କରାଯିବ ।

ଉଲ୍ଲେଖନୀୟ, ଦେଶରେ କଠୁଆ ଓ ଉନ୍ନାଓ ଭଳି ବଳାତ୍କାର ମାମଲାରେ ଆନ୍ଦୋଳନ ତୀବ୍ରରୂପ ଧାରଣ କରିଥିଲା । ଏହା ସହିତ ଭାରତ ବାହାରେ ମଧ୍ୟ କଠୁଆ ନାବାଳିକାଙ୍କୁ ନ୍ୟାୟ ଦେବାକୁ  ନେଇ  ଦାବି ଉଠିଛି। କଠୁଆ ଗଣବଳାତ୍କାର ମାମଲାରେ ଭାରତକୁ ବିଶ୍ୱ ଦରବାରରେ ମଧ୍ୟ ନିନ୍ଦିତ ହେବାକୁ ପଡ଼ିଥିଲା । ବ୍ରିଟେନ୍‌ ଗସ୍ତରେ ଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ବିଦେଶ ଗସ୍ତରୁ ଫେରିବା ପରେ ନାବାଳିକାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ତୁରନ୍ତ କ୍ୟାବିନେଟ୍‌ ବୈଠକ ଡାକିଥିଲେ । ପୋକ୍ସୋ ଆଇନରେ ସଂଶୋଧନ ନେଇ ପ୍ରାୟ ଅଢ଼େଇ ଘଣ୍ଟା ବିଚାର ବିମର୍ଷ କରାଯାଇଥିଲା । ଏହା ପରେ ପ୍ରସ୍ତାବ ଉପରେ ମୋହର ବାଜି ଥିଲା ।

ଗତକାଲି କେନ୍ଦ୍ର ସରକାର ପୋକ୍ସୋ ଆଇନରେ ସଂଶୋଧନ ଆଣିବାକୁ ସର୍ବୋଚ୍ଚ ନ୍ୟାୟଳୟରେ ଏକ ରିପୋର୍ଟ ଦାଖଲ କରିଥିଲେ । ଯେଉଁଥିରେ ୧୨ବର୍ଷରୁ କମ୍‌ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ପାଇଁ କୁହାଯାଇଥିଲା ।