ନୂଆଦିଲ୍ଲୀ : ପରୀକ୍ଷଣ ସ୍ଥଳକୁ ବନ୍ଦ କରି ଦିଆଯିବ। ଉତ୍ତର କୋରିଆର ଏକଛତ୍ରାବାଦୀ ଶାସକ ଜିମ ଜୋଙ୍ଗ ଉନ ଶନିବାର ସକାଳେ ଘୋଷଣା କରିଛନ୍ତି । ଏହି ଘୋଷଣାକୁ ସ୍ଵାଗତ କରିଛନ୍ତି ଟ୍ରମ୍ପ ।
ଏବେ ତାଙ୍କ ଦେଶକୁ ପରମାଣୁ ଅସ୍ତ୍ରଶସ୍ତ୍ର କିମ୍ବା କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ଆବଶ୍ୟକତା ନାହିଁ। ଏଟମି ପରୀକ୍ଷଣ ସ୍ଥଳ ନିଜର କାମ ପୁରା କରି ସାରିଛି। ଆମେ ବର୍ତ୍ତମାନ ଏକ ଶକ୍ତିଶାଳୀ ଦେଶ ଏବଂ ଆମକୁ ବର୍ତ୍ତମାନ ସମାଜବାଦୀ ଆର୍ଥିକ ନିର୍ମାଣ ଉପରେ ଧ୍ୟାନ ଦେବା ଉଚିତ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିଦ୍ଵନ୍ଦୀର ଏହି ଘୋଷଣାକୁ ସ୍ଵାଗତ କରିଛନ୍ତି। ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେଇ-ଇନଙ୍କ ସହିତ ହେବାକୁଥିବା ଶିଖର ବୈଠକ ଠିକ୍ ପୂର୍ବରୁ କିମ ଏହି ମହତ୍ଵପୂର୍ଣ୍ଣ ବୟାନ ଦେଇଛନ୍ତି। ଏହା ବାଦ କିମ ଖୁବ୍ ଶୀଘ୍ର ଆମେରିକା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଗତ ଦୁଇ ଦିନରେ କିମ ଆମେରିକା ପ୍ରତି ଦ୍ଵିତୀୟ ଥର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଉତ୍ତର କୋରିଆ ପ୍ରଥମରୁ ହିଁ ନିଜର ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବନ୍ଦ କରି ଦେଇଛି। ଖବର ମୁତାବକ ଉତ୍ତର କୋରିଆର କ୍ଷମତାଧାରୀ ଓ୍ଵାର୍କର୍ସ ପାର୍ଟିର ବୈଠକ ପରେ କିମ ଏହି ନିଷ୍ପତ୍ତି ନେଇଛନ୍ତି। ମାତ୍ର କିମ ପୂର୍ବରୁ ନିର୍ମିତ ପରମାଣୁ ଅସ୍ତ୍ରଶସ୍ତ୍ରକୁ ସମାପ୍ତ କରିବା ବିଷୟରେ କିଛି ଟିପ୍ପଣୀ କରି ନାହାନ୍ତି।
ଉତ୍ତର କୋରିଆ ପାଖରେ ଥିବା ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଟ୍ରମ୍ପ କିମଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ଏହା ଉତ୍ତର କୋରିଆ ଓ ପୁରା ଦୁନିଆ ପାଇଁ ନିଶ୍ଚିତ ଭଲ ଖବର। ଏବେ ଆପଣ ଆମର ଶିଖର ସମ୍ମିଳନୀର ପ୍ରତୀକ୍ଷା କରନ୍ତୁ। ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେଇ ଇନଙ୍କ ମୁଖପାତ୍ର ମଧ୍ୟ କିମଙ୍କ ଏହି ନିଷ୍ପତ୍ତିର ପ୍ରଶଂସା କରିଛନ୍ତି। କୁହାଯାଉଛି ଯେ ଦେଶର ଅର୍ଥବ୍ୟବସ୍ଥା ଓ ରାଷ୍ଟ୍ରୀୟ ପ୍ରସଙ୍ଗକୁ ଧ୍ୟାନରେ ରଖି କିମ ଏହି ନିଷ୍ପତ୍ତି ନେଇଛନ୍ତି। ପରମାଣୁ ପରୀକ୍ଷଣ ଏବଂ ବାଲାଷ୍ଟିକ ମିସାଇଲ ଲଞ୍ଚିଂକୁ ନେଇ ଉତ୍ତର କୋରିଆ ନେତା ଦ୍ଵାରା କରାଯାଇଥିବା ଘୋଷଣାରେ ଜାପାନ ସନ୍ତୁଷ୍ଟ ନୁହେଁ। ମାତ୍ର ଚୀନ ଉତ୍ତର କୋରିଆର ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛି। ଜାପାନର ପ୍ରତି ରକ୍ଷା ମନ୍ତ୍ରୀ ଇତ୍ସୁନୋରୀ ଓନୋଦେରା ଚେତାବନୀ ଦେଇ କହିଛନ୍ତି ଯେ ଟୋକିଓ ଦ୍ଵାରା ପ୍ୟୋଙ୍ଗୟାଙ୍ଗ ଉପରେ ଚାପ ପକାଇବା ନୀତି ଜାରି ରଖିବ କାରଣ ଉତ୍ତର କୋରିଆ ନିଜର ସ୍ଵଳ୍ପ ଓ ମଧ୍ୟମ ଦୂରଗାମୀ ମିସାଇଲକୁ ସମାପ୍ତ କରିବା ଉପରେ କୌଣସି ଟିପ୍ପଣୀ କରିନାହିଁ। ଏଥିପାଇଁ ଜାପାନ ନିଜ ନୀତିରେ ପରିବର୍ତ୍ତନ କରିବ ନାହିଁ। ଅନ୍ୟ ପଟେ ପ୍ୟୋଙ୍ଗୟଙ୍ଗର ସବୁଠୁ ବଡ଼ ସମର୍ଥକ ଚୀନ କହିଛି ଯେ ଏହି ପଦକ୍ଷେପ ପଡୋଶୀ ଇଲାକାକୁ ପରମାଣୁ ନିରସ୍ତ୍ରୀକରଣ ଦିଗକୁ ନେଇ ଯିବ।