ନିଦହାସ ଟ୍ରଫି: ଭାରତକୁ ୫ ଓ୍ଵିକେଟରେ ହରାଇଲା ଶ୍ରୀଲଙ୍କା

0
987

କଲୋମ୍ବୋ: ନିଦହାସ ଟି-୨୦ ତ୍ରିକୋଣୀୟ ସିରିଜର ପ୍ରଥମ ରୋମାଞ୍ଚକର ମୁକାବିଲାରେ ଘରୋଇ ଶ୍ରୀଲଙ୍କା କୁଶଲ ପେରେରାଙ୍କ ଧୂଆଁଧାର ଅର୍ଦ୍ଧଶତକ(୬୬) ବଳରେ ଭାରତକୁ ୫ ଓ୍ଵିକେଟରେ ପରାସ୍ତ କରିଛି। ଏହା ସହିତ ଯୁବ ଦଳକୁ ନେଇ ଓହ୍ଲାଇଥିବା ଭାରତ ପରାଜୟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ଶିଖର ଧାଓ୍ଵନଙ୍କ ୯୦ ରନ ବଳରେ ୧୭୪ ରନ କରିଥିଲା। ଜବାବରେ ଶ୍ରୀଲଙ୍କା କୁଶଲ ପେରେରାଙ୍କ ଦମଦାର ବ୍ୟାଟିଂ ବଳରେ ୧୮.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟୀ ହୋଇଛି। ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୁଶଲ ପେରେରା ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳର ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତି ସ୍ପଷ୍ଟ ବାରି ହୋଇ ପଡିଛି।

dhawan

୧୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଶ୍ରୀଲଙ୍କାକୁ ସ୍କୋର ୧୨ରେ କୁଶଲ ମେଣ୍ଡିସ(୧୧)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଦନୁଷ୍କା ଗୁଣଥିଲକା ଓ କୁଶଲ ପେରେରା ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ। ବିଶେଷ କରି ପାଓ୍ଵାଲ ପ୍ଲେର ପ୍ରଥମ ୬ ଓଭରରେ କୁଶଲ ପେରେରା ଧୂଆଁଧାର ବ୍ୟାଟିଂ କରିଥିଲେ। ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ ଉନାଦକତ। ଦନୁଷ୍କା ଉନାଦକତଙ୍କ ବଲରେ ରୁଷଭ ପନ୍ତଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୧୨ ବଲରୁ ଗୋଟିଏ ଚୌକା ଓ ୨ଟି ଛକା ବଳରେ ଦ୍ରୁତ ୧୯ ରନ କରିବା ସହିତ କୁଶଲ ପେରେରାଙ୍କ ସହ ଦ୍ଵିତୀୟ ଓ୍ଵିକେଟରେ ୫୮ ରନ ଯୋଡିଥିଲେ।

ଗୋଟିଏ ପଟେ କୁଶଲ ପେରେରା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ପ୍ରଥମ ୬ ଓଭରରେ ଶ୍ରୀଲଙ୍କା ୨ ଓ୍ଵିକେଟ୍ ୭୦ରୁ ଉର୍ଦ୍ଧ୍ଵ ରନ କରିଥିଲା ବିଶେଷ କରି କୁଶଲ ପେରେରାଙ୍କ ଧୂଆଁଧାର ବ୍ୟାଟିଂ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଏହି କ୍ରମରେ ୯୮ ସ୍କୋରରେ ଦିନେଶ ଚାନ୍ଦିମାଲଙ୍କୁ ଚହଲ କ୍ଲିନବୋଲ୍ଡ କରି ଚତୁର୍ଥ ସଫଳତା ଦେବା ସହ ଭାରତ ପାଇଁ ବିଜୟର ଆଶା ସଞ୍ଚାର କରିଥିଲେ। ଏହି କ୍ରମରେ କୁଶଲ ପେରେରା ଟି-୨୦ କ୍ୟାରିୟରରେ ଅଷ୍ଟମ ଅର୍ଦ୍ଧଶତକ ପୂରଣ କରିଥିଲେ।

toss

୧୨୭ ସ୍କୋରରେ ବିସ୍ଫୋରକ ବ୍ୟାଟିଂ କରୁଥିବା କୁଶଲ ପେରେରାଙ୍କୁ ଆଉଟ୍ କରି ଓ୍ଵାଶିଂଟନ ସୁନ୍ଦର ଭାରତକୁ ବହୁତ ବଡ଼ ସଫଳତା ଦେବା ସହ ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ୧୩୬ ସ୍କୋରରେ ଥରଙ୍ଗା(୧୭)କୁ କ୍ଲିନ ବୋଲ୍ଡ କରି ଚହଲ ବିଜୟ ଆଶା ସଂଚାର କରିଥିଲେ। ମାତ୍ର ଶେଷ ଆଡକୁ ଥିସାରା ପେରେରା ୧୦ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ବଳରେ ଦ୍ରୁତ ୨୨ ରନ କରି ଭାରତର ବିଜୟ ଆଶାରେ ପାଣି ପକାଇଥିଲେ। ଏହି ପରି ଶ୍ରୀଲଙ୍କା ୧୮.୩ ଓଭରରେ ୫ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଥିଲା। ଶେଷ ଆଡକୁ ପେରେରାଙ୍କ ସହ ଶନାଙ୍କା ୧୫ ରନ କରି ଅପରାଜିତ ଥିଲେ।

ଭାରତ ପକ୍ଷରୁ ଓ୍ଵାଶିଂଟନ ସୁନ୍ଦର ୨୮ ରନ ଦେଇ ଓ ଚହଲ ୩୭ ରନ ଦେଇ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଉନାଦକତଙ୍କୁ ଗୋଟିଏ ସଫଳତା ମିଳିଥିଲା।