ନିଦାହାସ ଟି-୨୦: ଫାଇନାଲରେ ଭାରତ

0
1072
india team in sri lanka
india team in sri lanka

କଲମ୍ବୋ :  ନିଦାହାସ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜ ଫାଇନାଲରେ ପ୍ରବେଶ କରିଛି ଭାରତ । ଭାରତ ଲିଗ୍ ପର୍ୟ୍ୟାୟରେ ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ବିଜୟୀ ହୋଇ  ତାଲିକାର ଶୀର୍ଷ ସ୍ଥାନରେ ରହିବା ସହ ପ୍ରଥମ ଦଳ ଭାବେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି।  ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ୮୯ ରନ ଓ ଓ୍ଵାଂଶିଟନ ସୁନ୍ଦରଙ୍କ ୩ଟି ସଫଳତା ବଳରେ ଭାରତ ନିଦାହାସ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜର ପଞ୍ଚମ ମୁକାବିଲା ତଥା ନିଜର ଶେଷ ଲିଗ୍ ମ୍ୟାଚରେ ବାଂଲାଦେଶକୁ ୧୭ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତଙ୍କ ୮୯ ରନ ବଳରେ ୧୭୬ ରନ କରିଥିଲା। ଜବାବରେ ବାଂଲାଦେଶ  ମୁସଫିକର ରହିମଙ୍କ ୭୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଓ୍ଵାଂଶିଟନ ସୁନ୍ଦରଙ୍କୁ ୩ଟି ସଫଳତା ମିଳିଛି। ଫର୍ମକୁ ଫେରିଥିବା ରୋହିତ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

୧୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶର ଆରମ୍ଭ ଭଲ ନଥିଲା। ଦଳ   ୧୨ ରନରେ ଲିଟନ ଦାସ(୭)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ୩୫ ରନରେ ଦଳ ସୌମ୍ୟ ସରକାର(୧)ଙ୍କ ଓ୍ଵିକେଟ୍ ହରାଇଥିଲା।  ଏହି ଦୁଇ ବ୍ୟାଟସମ୍ୟାନ ଓ୍ଵାଂଶିନଟ ସୁନ୍ଦରଙ୍କ ଶୀକାର ହୋଇଥିଲେ।  ୧୯ ବଲରୁ ଦ୍ରୁତ ୨୭ ରନ କରିଥିବା ତମିମ ସୁନ୍ଦରଙ୍କ ତୃତୀୟ ଶୀକାର ହୋଇଥିଲେ।

୬୧ ରନରେ ବାଂଲାଦେଶ ମହମୁଦୁଲ୍ଲାଙ୍କ(୧୧) ରୂପେ ଚତୁର୍ଥ ଓ୍ଵିକେଟ୍ ହରାଇଥିଲା।  ୬୧ ରନରେ ୪ ଓ୍ଵିକେଟ୍ ହରାଇ ଅଡୁଆରେ ଥିବା ବାଂଲାଦେଶର ପାଳିକୁ ଗତ ମ୍ୟାଚର ହିରୋ ମୁସଫିକର ରହିମ ଓ ସବିର ରେହମାନ ସମ୍ଭାଳିଥିଲେ। ଏହି ଦୁଇ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରି  ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ୧୨୬ ରନ ସ୍କୋରରେ ବାଂଲାଦେଶକୁ ପଞ୍ଚମ ଝଟକା ଲାଗିଥଲା। କ୍ରିଜରେ ଜମି ରହିଥିବା ସବିର(୨୭)ଙ୍କୁ ଶାର୍ଦ୍ଦୁଳ ଠାକୁର ଆଉଟ୍ କରି ଦଳକୁ ପଞ୍ଚମ ସଫଳତା ଦେଇଥିଲେ। ଆଉଟ୍ ହେବ ପୂର୍ବରୁ ସବିର ମୁସଫିକର ରହିମଙ୍କ ସହ ୬୫ ରନ ଯୋଡିଥିଲେ।

ଗତ ମ୍ୟାଚର ହିରୋ ମୁସଫିକର ରହିମ ଏହି ମ୍ୟାଚରେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ଟି-୨୦ ଅନ୍ତରାଷ୍ଟ୍ରୀୟରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ମୁସଫିକର  ୭୦ ରନର ପାଳି ଖେଳିଥଲେ ମଧ୍ୟ ଏହା ଦଳ ପାଇଁ ପର୍ୟ୍ୟାପ୍ତ ନଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରି ବିଜୟଠୁ ୧୭ ରନ ପଛରେ ପଡି ଯାଇଥିଲା। ମୁସଫିକର ରହିମ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି 55 ବଲରୁ 8 ଚୌକା ଓ  ଗୋଟିଏ ଛକା ବଳରେ 72 ରନର ପ୍ରଶଂସନୀୟ ପାଳି ଖେଳିଛନ୍ତି।

ଭାରତ ପକ୍ଷରୁ ଓ୍ଵାଂଶିଟନ ସୁନ୍ଦର ୨୨ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଥିଲେ। ଏହା ବାଦ ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ଓ ଚହଲଙ୍କୁ ଗୋଟିଏ ଲେଖାଏଁ ସଫଳତ ମିଳିଥିଲା।