ନିର୍ବାଚନ ବିଗୁଲ୍‌: ମେ ୧୨ରେ କର୍ଣ୍ଣାଟକରେ ମତଦାନ, ୧୫ରେ ଗଣତି

0
819
karnataka election
karnataka election
ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ପାଇଁ ମେ ୧୨ରେ ମତଦାନ ହେବ । ଏଥିପାଇଁ ଏପ୍ରିଲ ୨୫ରେ ନାମାଙ୍କନ ଦାଖଲ ଓ ୨୭ରେ ପ୍ରତ୍ୟାହାର ହେବ । ମେ ୧୫ରେ ଫଳାଫଳ ଆସିବ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ନିର୍ବାଚନ କମିଶନର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଧି ବିଧାନଗୁଡ଼ିକ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ।  ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ କର୍ଣ୍ଣାଟକରେ ୪ କୋଟି ୯୬ ଲକ୍ଷ ଭୋଟର୍‌ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୭ ପ୍ରତିଶତ ମତଦାତାଙ୍କୁ ଭୋଟ ପରିଚୟ ପତ୍ର ଦିଆଯାଇଛି । ଏଥର କର୍ଣ୍ଣାଟକର ୫୬ ହଜାର ବୁଥ୍‌ କରାଯାଇଥିବା ସୂଚନା ମିଳିଛି ।  ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି କି କର୍ଣ୍ଣାଟକର ମୋଟ ଜନସଂଖ୍ୟା ମଧ୍ୟରୁ ୭୨ ପ୍ରତିଶତ ହେଉଛନ୍ତି ଭୋଟର୍‌ । ଆଜିଠାରୁ କର୍ଣ୍ଣାଟକରେ ନିର୍ବାଚନୀ ଆଚରଣ ସଂହିତା ଲାଗୁ କରାଯାଇଛି । ନିର୍ବାଚନ ନ ସରିବା ଯାଏଁ ରାତ୍ରି ୧୦ରୁ ସକାଳ ୬ ଯାଏ କର୍ଣ୍ଣାଟକରେ ଡାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା କରାଯାଇଛି ।  ନିର୍ବାଚନୀ ଖର୍ଚ୍ଚକୁ କଡ଼ାକଡ଼ି ତଦାରଖ କରାଯିବ । ଜଣେ ପ୍ରାର୍ଥୀ ୨୮ ଲକ୍ଷରୁ ଅଧିକ ଖର୍ଚ୍ଚ କରିବା ବେଆଇନ ଭାବେ ବିବେଚିତ କରାଯିବ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।