ନିର୍ବାଚନ ରଣନୀତି : ସର୍ବାଗ୍ରେ ବିଜେଡି

0
1023
naveen patnaik
naveen patnaik

ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ବିଜେଡି ସର୍ବାଗ୍ରେ । ବିଜେପୁର ଉପ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି । ସେଥିପାଇଁ ବିଜେଡି ସାମ୍ନାରେ ଅନ୍ୟ ଦଳ ଫିକା ପଡିଯାଉଥିବା ନେଇ ରାଜନୈତିକ ବିଶ୍ଳେଷକ ମହଲରେ ଆଲୋଚନା ହେଉଛି । ବିଜେପି ତା ତଳକୁ ଥିବାବେଳେ କଂଗ୍ରେସ ଶୋଇଥିବା ପରି ମନେ ହେଉଛି ବୋଲି ସେମାନେ ମତ ଦେଉଛନ୍ତି ।
ଦେଶରେ ସାଧାରଣ ନିର୍ବାଚନ ଓ ଓଡିଶାରେ ବିଧାନସଭା ନିର୍ବାଚନ ଆଉ ବର୍ଷେ ଥିବାବେଳେ ଏବେଠୁ ରଣନୀତି ଆରମ୍ଭ ହୋଇଗଲାଣି । ରାଷ୍ଟ୍ରୀୟ ସ୍ତରରେ ବିଜେପିର ରଣନୀତିକାର ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରି ଦେଇଥିବାବେଳେ ରାଜ୍ୟସ୍ତରରେ ଯେପରି ହେବାକଥା ହୋଇ ପାରିନାହିଁ । ରାଜ୍ୟ ସ୍ତରର ବିଜେପି ନେତାମାନେ ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ କେବଳ ଉତ୍ସାହିତ ହୋଇପଡିବା ଛଡା ଆଉ କିଛି ନୁହେଁ ବୋଲି ରାଜନୀତି ବିଶାରଦମାନେ କହୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ ପଂଚାୟତ ନିର୍ବାଚନରେ ବିଜେଡିର ଅସନ୍ତୁଷ୍ଟ କର୍ମୀ, ବିଦ୍ରୋହୀ ପ୍ରାର୍ଥୀଙ୍କୁ ଜିତାଇବା ଓ ପରବର୍ତି ସମୟରେ ସେମାନେ ବିଜେପି ସାଙ୍ଗରେ ମିଶିବାକୁ ନେଇ ବିଜେପି ନେତା ଖୁସି ହେଉଛନ୍ତି । କିନ୍ତୁ ସେଥିରୁ ଆଗାମୀ ବିଧାନସଭା ନର୍ବାଚନରେ ବିଜେପିକୁ ବିଶେଷ ଫାଇଦା ମିଳିବନି । କାରଣ ତଳସ୍ତରରେ ଦଳ ସଂଗଠନକୁ ମଜବୁତ୍ ଏ ଯାଏ କରିପାରିନି । ଯାହା ବିଜେପୁର ନିର୍ବାଚନରେ ହେଲା, ସେଥିରୁ ଏହା ସ୍ପଷ୍ଟ ସଂକେତ ମିଳିଛି । କଂଗ୍ରେସ ଦଳର ପତନ ବିଜେପିକୁ ସୁହାଉଥିଲେ ମଧ୍ୟ ରାଜ୍ୟରେ ବିଶେଷ ପ୍ରଭାବୀ ହୋଇପାରି ନାହିଁ । ଅନ୍ୟ ପକ୍ଷରେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି କ୍ଷେତ୍ରରେ ବିଜେଡି ସବୁଠୁ ଆଗରେ ଥିବା ରାଜନୈତିକ ବିଶ୍ଳେଷକ ମହଲରେ ଆଲୋଚନା ହେଉଛି । ନିର୍ବାଚନର ବହୁ ପୂର୍ବରୁ ବିଜେଡିର ରଣନୀତି ପ୍ରସ୍ତୁତ ହେଉଛି । ତଦନୁଯାୟୀ କାର୍ଯ୍ୟକାରୀ କରାଯାଉଛି । ଦେଶରେ ଯେପରି ମୋଦି ମ୍ୟାଜିକ୍ ଚାଲିଛି, ରାଜ୍ୟରେ ସେହିପରି ନବୀନ ମ୍ୟାଜିକ୍ ଚାଲିଛି । ବିଜେଡିର ସ୍ଥାନୀୟ ନେତାଙ୍କ ଉପରେ କାଁଭାଁ କର୍ମୀଙ୍କ ଅସନ୍ତୋଷ ରହିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା ରହିଛି । ବିଗତ ଦିନରେ ଏହା ପ୍ରମାଣିତ ହୋଇଛି । ବିଜେପି ପକ୍ଷରୁ ବିଜେଡିକୁ ଚ୍ୟାଲେଞ୍ଜ ମିଳିବା ପରେ ଦଳ ଆହୁରି ସତର୍କ ହୋଇଯାଇଛି । ଯେଉଁଠି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି, ତାହାର ସମାଧାନ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଯେଉଁ ଅଂଚଳରେ ପ୍ରଶାସନିକ ସମସ୍ୟା ରହିଛି, ତାହାର ସର୍ଭେ କରାଯାଇ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ରାଜ୍ୟ ସରକାରଙ୍କ ସଫଳତା ପ୍ରଚାର ପ୍ରସାର କରାଯିବା ସହ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ରାଜ୍ୟରେ ନବୀନ ବ୍ରାଣ୍ଡ ଆଗରେ ଅନ୍ୟ ଦଳଗୁଡିକ ନିଷ୍ପର୍ଭ ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଆଲୋଚନା ହେଉଛି ।