ଭୁବନେଶ୍ୱର : ସୋମବାର ପିସିସି ପ୍ରଭାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । କଂଗ୍ରେସ ଦଳର ସଂଗଠନକୁ ସୁଦୃଢ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ । କଂଗ୍ରେସର ସାଧାରଣ ସମ୍ପାଦକ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ନବ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହ ସମସ୍ତ ସମ୍ପାଦକ ଯୋଗ ଦେଇଛନ୍ତି।
ଗତ ଶନିବାର ଓଡିଆ ନୂଆବର୍ଷ ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦଳର ନବକଳେବର ହେବା ନେଇ ସୂଚନା ଦେଇଥିଲେ । ବୁଥ ସ୍ତରରୁ ପରିବର୍ତନ କରାଯିବା ନେଇ ମଧ୍ୟ ସେ ପ୍ରକାଶ କରିଥିଲେ। ନବକଳେବର ନେଇ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରତିକ୍ରିୟାରେ ଠିକଣା ସମୟରେ ଦଳ ଠିକ୍ ନିଷ୍ପତି ନେଇଥିବାରୁ ଏହା ସ୍ୱାଗତ ଯୋଗ୍ୟ କହିଛନ୍ତି। ଏହାଦ୍ୱାରା ରାଜ୍ୟର କୋଣ ଅନୁକୋଣର କଥା ଓ ସମସ୍ୟା ବୁଝାଯାଇପାରିବ ବୋଲି କହିଛନ୍ତି ଶ୍ରୀ ବାହିନୀପତି।