ପଞ୍ଜାବ ସ୍ଥାନାନ୍ତର ହେଲା କଠୁଆ ଗଣ ବଳାତ୍କାର ମାମଲା

0
911
sc1
sc1

ନୂଆଦିଲ୍ଲୀ : କଠୁଆ ଗଣ ବଳାତ୍କାର ମାମଲାର  ସିବିଆଇ ଯାଞ୍ଚର ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମାତ୍ର  ମାମଲାର ଶୁଣାଣିକୁ ପଞ୍ଜାବ ସ୍ଥାନାନ୍ତର କରିଛନ୍ତି।

ସୁପ୍ରିମକୋର୍ଟ କଠୁଆ ଗଣ ବଳାତ୍କାର ମାମଲାର ଶୁଣାଣିକୁ ପଞ୍ଜାବ ସ୍ଥାନାନ୍ତର କରିଛନ୍ତି। ମାତ୍ର ସର୍ବୋଚ୍ଚ ଅଦାଲତ  ଏହି ମାମଲାରେ ସିବିଆଇ ଯାଞ୍ଚର ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି। କୋର୍ଟ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ପ୍ରତି ଦିନ ମାମଲାର ଶୁଣାଣି ହେବ। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୯ରେ ହେବ। ଉଲ୍ଲେଖଯୋଗ୍ୟ ଜାମ୍ମୁର କଠୁଆରେ ଜଣେ ନାବାଳିକାକୁ ଗଣ ବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା।  ଏହି ମାମଲାକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଥିଲା। କେବଳ ଏତିକି ନୁହେଁ ଅନ୍ତରାଷ୍ଟ୍ରୀୟ ମିଡ଼ିଆ ମଧ୍ୟ ଏହାର ସମାଲୋଚନା କରିଥିଲେ।  ଏବେ କଠୁଆ ଗଣ ବଳାତ୍କାରର ଶୁଣାଣି ପଠାନକୋଟରେ କରାଯିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ମାତ୍ର ସୁପ୍ରିମକୋର୍ଟ କଠୁଆ ଗଣ ବଳାତ୍କାର ମାମଲାର ସିବିଆଇ ତଦନ୍ତ ନେଇ ଦାୟର ଅନେକ ଯାଚିକାକୁ ଖାରଜ କରି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖନୀୟ ଘୁମନ୍ତୁ ଅଳ୍ପସଂଖ୍ୟକ ସମୁଦାୟର ଆଠ ବର୍ଷୀୟ ଶିଶୁ ଜାନୁଆରୀ ୧୦ରେ ଜାମ୍ମୁର କଠୁଆ ନିକଟ ଗାଁରେ ନିଜ ଘର ପାଖରୁ ନିଖୋଜ ହୋଇଯାଇଥିଲା।  ଗୋଟିଏ ସପ୍ତାହ ପରେ  ସେହି ଇଲାକାରୁ ଶିଶୁ ଝିଅର ଶବ ମିଳିଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଗତ ଶୁଣାଣିରେ କଠୋର ଚେତାବନୀ ଦେଇ କହିଥିଲେ ଯେ ଆମର ପ୍ରକୃତ ଚିନ୍ତା ମାମଲାର ନିରପେକ୍ଷ ଶୁଣାଣିକୁ ନେଇ ରହିଛି। ଯଦି ଏଥିରେ କୌଣସି ଅବହେଳା କରାଯାଏ ତେବେ ମାମଲା ଜାମ୍ମୁ ଓ କାଶ୍ମୀରରୁ ବାହାର ଅଦାଲତକୁ ସ୍ଥାନାନ୍ତର କରାଯିବ।  ଶିଶୁର ବାପା ନିଜର ପରିବାର, ପରିବାରର ଜଣେ ବନ୍ଧୁ ଓ ନିଜର ଓକିଲଙ୍କ ସୁରକ୍ଷା ପ୍ରତି ଚିନ୍ତା ବ୍ୟକ୍ତ କରି ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ। ଏହା ପରେ ନ୍ୟାୟାଳୟ  ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ପୋଲିସକୁ ଆଦେଶ ଦେଇଥିଲେ। ଏହା ମଧ୍ୟରେ ସାଞ୍ଜୀ ରାମ ସହିତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ସମସ୍ତ ମାମଲାର ତଦନ୍ତ ସିବିଆଇ ଦ୍ଵାରା କରାଯିବାକୁ ନେଇ ଯାଚିକା ଦାୟର କରିଥିଲେ। ଯାହାକୁ କୋର୍ଟ ଆଜି ଖାରଜ କରି ଦେଇଛନ୍ତି।