ପାର୍ସଲ ବୋମା ବିସ୍ଫୋରଣ ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ରିମା

0
919
gift-blast
gift-blast
କଟକ : ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବିସ୍ଫୋରଣ ଘଟଣାରେ ମୃତ ସ୍ୱାମୀ ସୌମ୍ୟଶେଖରଙ୍କ ନବବିବାହିତା ପତ୍ନୀ ରିମା । ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ ବୋଲି ରିମା ଦାବି କରିଛନ୍ତି ।
 ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ରିମା କୋହଭରା କଣ୍ଠରେ ନ୍ୟାୟ ମାଗିଛନ୍ତି । ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ। ମୋ ସହ ଯାହା, ହୋଇଛି, କାହା ସହ ଏମିତି ନହେଉ। ସ୍ୱାମୀ ସୌମ୍ୟଶେଖରଙ୍କ କେହି ଶତ୍ରୁ ନଥିଲେ। ଏ ନେଇ ସେ କାହାକୁ ସନ୍ଦେହ କରୁନାହାନ୍ତି ବୋଲି ରିମା କହିଛନ୍ତି।  ଗତକାଲି ସୌମ୍ୟଶେଖରଙ୍କ ମା ଓ ପିତା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଘଟଣାରେ ଅଭିଯୁକ୍ତର ଗିରଫ ଦାବି କରିଥିଲେ। ଆଜି ଏହି କଥାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୋହରାଇଛନ୍ତି ରିମା। ପ୍ରେମ ଜନିତ ବ୍ୟାପାରକୁ ନେଇ ଏଭଳି ଘଟିନାହିଁ । ଘଟଣାପଛରେ ଇର୍ଷା ଏବଂ ପ୍ରତିଶୋଧ କାରଣ ହୋଇପାରେ ବୋଲି ମୃତ ସୌମ୍ୟଶେଖରଙ୍କ ମା ଓ ରୀମାଙ୍କ ପିତା ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କହିଛନ୍ତି । ଉଭୟଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ଘଟଣାର ମାସେ ବିତିବାକୁ ଆଉ ମାତ୍ର ତିନି ଦିନ ବାକି ଥିବାବେଳେ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ବଲାଙ୍ଗିର ଏସପି ମଧ୍ୟ ଏହି ଘଟଣାରେ କୌଣସି ସୂଚନା ଦେଉନାହାଁନ୍ତି।

ପ୍ରକାଶ ଯେ, ଗତ ଫେବୃୟାରୀ ୧୮ ତାରିଖ ଦିନ ବ୍ରହ୍ମପୁରା ଅଞ୍ଚଳ ଛକ ନିକଟରେ ଘର କରି ରହୁଥିବା ଅଧ୍ୟାପକ ରବିନ୍ଦ୍ର ସାହୁ ଓ ଅଧ୍ୟାପିକା ସଂଯୁକ୍ତା ସାହୁଙ୍କ ଏକମାତ୍ର ପୁତ୍ର ସୌମ୍ୟଶେଖରଙ୍କ ବାହାଘର ଥିଲା । ବାହାଘରର ୪ ଦିନ ପରେ ଶୁକ୍ରବାର  ଅପରାହ୍ନ ୧୨ ଟା ୪୫ରେ ତାଙ୍କ ଘରେ ସ୍କାଏ କିଙ୍ଗ୍ କୋରିୟର୍ ସର୍ଭିସରୁ ପହଂଚିଥିଲା ୨ କେଜି ୧୦ ଗ୍ରାମର ଏକ ପାର୍ସଲ୍ । ଏହି ଉପହାର ପାର୍ସଲ୍ କୁ ଖୋଲିବା ପରେ ଘଟିଥିଲା ଅଘଟଣ । ସେହି ସମୟରେ ବାପା ରବିନ୍ଦ୍ର ସାହୁ ଡାକ୍ତରୀ ପଢୁଥିବା ଝିଅକୁ ଛାଡ଼ିବାକୁ ଦିଲ୍ଲୀ ଯାଇଥିବା ବେଳେ ମା ନିଜ କଲେଜକୁ ଅଧ୍ୟାପନା ପାଇଁ ଚାଲି ଯାଇଥିଲେ । ଗୁରୁତର ଅବସ୍ଥାରେ ସୌମ୍ୟଶେଖର ଏବଂ ରିମାଙ୍କୁ ପାଟଣାଗଡ଼, ବଲାଙ୍ଗୀର ଓ ପରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା । ଜେଜେମା ଜେମାମଣିଙ୍କ ବଲାଙ୍ଗୀର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବାବେଳେ ସୌମ୍ୟଶେଖରଙ୍କ ବୁର୍ଲାରେ ମୃତ୍ୟୁ ଘଟିଥିଲା । ଏହି ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ, ଘରର କାନ୍ଥ ଫାଟି ଯାଇଥିଲା । ଘରେ ଥିବା ଆସବାବପତ୍ର ପୋଡି ଯାଇଥିଲା ।  ଏବେ ମଧ୍ୟ ପୋଲିସର ହାତ ଖାଲିୁ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିବା ପରେ ରିମାଙ୍କ କଥାକୁ ମୁଖ୍ୟମନ୍ତ୍ରୀ କେତେଦୁର ଗ୍ରହଣ କରି ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।