ପାର୍ସଲ ବୋମା ବିସ୍ଫୋରଣ ଘଟଣା : ହେବ ପଲିଗ୍ରାଫ ଟେଷ୍ଟ

0
959
parcel boma bisporana
parcel boma bisporana

ଭୁବନେଶ୍ୱର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଲିସ ଆଉ ପାଦେ ଆଗେଇଛି । ଅଟକ ସନ୍ଦିଗ୍ଧ କେତେ ସତ କହୁଛି କେତେ ମିଛ କହୁଛି ତାହା ଜାଣିବାକୁ ପଲିଗ୍ରାଫ ଟେଷ୍ଟ କରିବାକୁ ପୁଲିସ ଅଣ୍ଟା ଭିଡିଛି । ପରିପାର୍ଶ୍ଵିକ ପ୍ରମାଣ ଓ ମିଳିଥିବା ତଥ୍ୟ ଆଧାରରେ ଗତ ୧୨ ଦିନ ହେଲା ତଦନ୍ତ ଜାରି ରଖିଛି ପୁଲିସ । ଏହି ଚର୍ଚ୍ଚିତ ମାମଲାରେ ପୂର୍ବରୁ ୨ଟି ଟିମ୍ ତଦନ୍ତ କରୁଥିବା ବେଳେ ଏବେ ଆଉ ଦୁଇଟି ସ୍ପେଶାଲ ଟିମ ଗଠନ ହୋଇଛି । ସମସ୍ତ ୪ଟି ଟିମ ଅଲଗା ଅଲଗା ହୋଇ ତଦନ୍ତ ଆରମ୍ଭ କରିଛନ୍ତି ।

balangir boma bisporana
balangir boma bisporana

ଗୋଟିଏ ଟିମ ରାୟପୁରରେ ରହି ତଦନ୍ତ କରୁଥିବା ବେଳେ ଅନ୍ୟ ଗୋଟିଏ ଟିମ ବଙ୍ଗାଲୁର ଓ ତୃତୀୟ ଟିମ ଜିଲ୍ଲା ବାହାରେ ଛାନଭିନ କରୁଛି । ଚତୁର୍ଥ ଟିମ୍ ଭୁବନେଶ୍ୱରରେ ଶେଖର ପଢ଼ୁଥିବା ଦୁଇଟି ଶିକ୍ଷାନୁଷ୍ଠାନକୁ ଯାଇ ଖୋଳତାଡ କରିଛି । ତେଲେଙ୍ଗାପେଣ୍ଠ ନିକଟରେ ଥିବା କଳିଙ୍ଗ ଭାରତୀ ଆବାସିକ ମହାବିଦ୍ୟାଳୟରେ ଶେଖର ଯୁକ୍ତ ଦୁଇ ପଢ଼ିଥିଲେ । ଏହାପରେ ଗାନ୍ଧୀ ଇଂଜିନିୟରିଂ କଲେଜରେ ବି’ଟେକ ପଢ଼ୁଥିଲେ ଶେଖର । ତେଣୁ କଲେଜ ତଦନ୍ତ ପରିସରଭୁକ୍ତ ହୋଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଅତିରିକ୍ତ ଏସପି ।

ପୂରା ଘଟଣାରେ ପ୍ରଥମେ ଦୁଇଜଣଙ୍କୁ ଅଟକ ରଖାଯାଇ ଜେରା କରାଯାଇଥିବା ବେଳେ ଏବେ ଟିକିନା ପଣ୍ଡା ନାମକ ଜଣେ ସନ୍ଦିଗ୍ଧଙ୍କୁ ଜେରା ପରେ ଛାଡ଼ି ଦିଆଯାଇଛି । ଅନ୍ୟଜଣଙ୍କୁ ଅତିରିକ୍ତ ଏସ୍ପି ଖୋଦ ନିଜେ ଜେରା କରୁଛନ୍ତି । ଫୋନରେ ଶେଖରଙ୍କୁ ଧମକ ଦିଆଯାଇଥିବା ତାଙ୍କ ବାପା ମୁହଁ ଖୋଲିବା ପରେ ପୁଲିସ ତନାଘନା ଆରମ୍ଭ କରିଛି । କଲ ରେକର୍ଡକୁ ନେଇ ଦୁଇ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି ପୁଲିସ । ଏଭଳି ମାମଲାର ତଦନ୍ତ ସମୟ ସାପେକ୍ଷ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ପୁଲିସ ଅଟକ ରଖିଥିବା ଯୁବକଙ୍କୁ ଗତ ୩ ଦିନ ହେଲା ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି । ସମ୍ପୃକ୍ତ ଯୁବକ ଜଣକ ରୀମା ସାହୁଙ୍କ ପଡ଼ୋଶୀ ବୋଲି ଶୁଣିବାକୁ ମିଳୁଛି । ଏହି ଯୁବକ ରୀମାଙ୍କୁ ବିବାହ କଲେ ପରିସ୍ଥିତି ଭୟାବହ ହେବ ବୋଲି ମୃତ ଶେଖରଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ । ମଙ୍ଗଳବାର ଦିନ ସମ୍ପୃକ୍ତ ଯୁବକଙ୍କୁ ମଧ୍ୟ ପୁଲିସ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା । ଅଟକ ଯୁବକଙ୍କ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ପୁଲିସ ପ୍ରସ୍ତୁତି ଚଳାଇଛି । ତେଣୁ ଯୁବକଙ୍କର ବିଭିନ୍ନ ପ୍ରକାର ଟେଷ୍ଟ କରାଯାଉଥିବା କୁହାଯାଉଛି । ସବୁଠୁ ବଡ଼ କଥା ହେଉଛି ଶେଖରଙ୍କୁ ଜଣେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବତୀ ପ୍ରେମ କରୁଥିଲେ । ବିବାହ କରିବାକୁ ଜିଦ ଧରିଥିଲେ । ହେଲେ ବିବାହ କରିବାକୁ କାଳେ ଶେଖର ରାଜି ହେଉନଥିଲେ ବୋଲି କୁହାଯାଉଛି । ଯାହାକୁ ନେଇ ମଝିରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ରୀମାଙ୍କ ସହ ନିର୍ବନ୍ଧ ପରେ ସେହି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବତୀ ରାଗରେ ଏପରି କରିଥାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଯୁବତୀ ଏକା ନା’ ତାଙ୍କ ସଙ୍ଗେ ଆଉ କିଏ ଜଡିତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏତେବଡ଼ କାଣ୍ଡ ଜଣେ ଏକାକି ଭିଆଇବା ସମ୍ଭବ ନୁହେଁ ବୋଲି ପୁଲିସ ସନ୍ଦେହ କରୁଛି ।