ଭୁବନେଶ୍ୱର : ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ପୋଲିସ୍ ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କ ଭୂମିକା ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି।
ଶେଷରେ ଧରାପଡ଼ିଛି ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ। ସେ ହେଉଛନ୍ତି ଭଇଁଷା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର। କ୍ରାଇମବ୍ରାଞ୍ଚ ପୋଲିସ୍ ତାଙ୍କୁ ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ରବିବାରଠାରୁ କ୍ରାଇମବ୍ରାଞ୍ଚ ତାଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଥିଲା। ଗତକାଲି ତାଙ୍କ ଘରୁ ବାଣ ମଧ୍ୟ ଜବତ କରାଯାଇଥିବା ନେଇ ସୂଚନା ଆସିଥିଲା। ଗତ ଦୁଇ ଦିନରେ କ୍ରାଇମ୍ବ୍ରାଞ୍ଚ ଏହି ଘଟଣାରେ ୮ ଜଣଙ୍କୁ ଉଠାଇ ନେଇ ଜେରା କରିଥିଲା।
ସୂଚନାଯୋଗ୍ୟ, ଏହି ପାର୍ସଲବୋମା ବିସ୍ଫୋରଣରେ ମୃତ ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁ ଭଇଁଷାର କଲେଜର ଅଧ୍ୟକ୍ଷା ଅଛନ୍ତି। ମିଳିଥିବା ସୂଚନା ମୁତାବକ ଅଧ୍ୟାପକ ପୁଞ୍ଜିଲାଲ ତାଙ୍କୁ ଅଧ୍ୟକ୍ଷା ଭାବେ ଗ୍ରହଣ କରି ପାରୁ ନଥିଲେ। କାରଣ ସଂଯୁକ୍ତା ସେହି କଲେଜକୁ ବଦଳି ହୋଇ ଆସିବା ପୂର୍ବରୁ ସେ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ତେବେ ବରିଷ୍ଠତା ଭିତ୍ତିରେ ସଂଯୁକ୍ତାଙ୍କୁ ଅଧ୍ୟକ୍ଷା କରାଯାଇଥିଲା। ଏହାକୁ ନେଇ ତାଙ୍କର ସଂଯୁକ୍ତାଙ୍କ ସହିତ ବିବାଦ ଥିଲା। ସେ ବିଭିନ୍ନ ସମୟରେ ସଂଯୁକ୍ତାକୁ ହଇରାଣ କରୁଥିଲେ। ଏମିତିକି କାନ୍ଥବାଡ଼ରେ ସଂଯୁକ୍ତାଙ୍କ ନାଁରେ କୁତ୍ସା ରଟନା କରୁଥିଲେ। ଫେବ୍ରୁଆରୀ ୨୩ ତାରିଖରେ ଘଟିଥିବା ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ। ସେ ଏସ୍ସିବିରେ ଚିକିତ୍ସିତ ହୋଇ କିଛି ଦିନ ହେବ ଘରକୁ ଫେରିଛନ୍ତି।