ପିଏନ୍‌ବି ଠକେଇ : ବିପୁଳ ଚିତାଲିଆ ଗିରଫ

0
1062

ମୁମ୍ବାଇ: ବହୁକୋଟି ଟଙ୍କାର ପିଏନ୍‌ବି ଠକେଇ ମାମଲାରେ ସିବିଆଇ ଆଜି ଗୀତାଞ୍ଜଳି ଗ୍ରୁପ୍‌ର ଉପସଭାପତି (ବ୍ୟାଙ୍କିଂ ଅପରେସନ୍‌) ବିପୁଳ ଚିତାଲିଆଙ୍କୁ ଗିରଫ ରଖିଛି। ଆଜି ସକାଳେ ବ୍ୟାଙ୍କକ୍‌ରୁ ମୁମ୍ବାଇ ବିମାନ ବନ୍ଦରରେ ଶ୍ରୀ ଚିତାଲିଆ ପହଞ୍ଚିବା ପରେ ସିବିଆଇ ତାଙ୍କୁ ଗିରଫ କରିନେଇଛି। ଏହାପରେ ସିବିଆଇ ତାଙ୍କୁ ସ୍ୱତନ୍ତ୍ର ଅଦାଲତରେ ହାଜର କରିବା ସହିତ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ୍‌ରେ ନେଇଛି। ଅଦାଲତରେ ସିବିଆଇ ଯୁକ୍ତି ବାଢ଼ିଥିଲା ଯେ, ଜାଲ ଏଲଓୟୁ ଓ ଏଫ୍‌ଏଲ୍‌ୟୁ ପ୍ରସ୍ତୁତି କରିବାରେ ଶ୍ରୀ ଚିତାଲିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବ୍ରେଡି ହାଉସ୍‌ ଶାଖାର ଡେପୁଟି ମ୍ୟାନେଜର ଗୋକୁଳନାଥ ସେଟ୍ଟି ଓ ଅନ୍ୟ କେତେଜଣ ଅଧିକାରୀଙ୍କ ସହ ଭିତିରି ବୁଝାମଣା କରି ଏଭଳି ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରସ୍ତୁତ କରୁଥିଲେ। ଗୀତାଞ୍ଜଳି ଗ୍ରୁପ୍‌ ଦ୍ୱାରା ହୋଇଥିବା ଜାଲିଆତିରେ ଶ୍ରୀ ଚିତାଲିଆ ମାଷ୍ଟରମାଇଣ୍ଡ୍‌ ବୋଲି ସିବିଆଇ ଅଦାଲତରେ ଯୁକ୍ତି ବାଢ଼ିଛି।