ପିଏନ୍‌ବି ଠକେଇ ମାମଲାରେ ଏନ୍‌ସିଏଲ୍‌ଟିର କଟକଣା

0
1055
nclt
nclt

ସଂପତ୍ତି ବିକି ପାରିବେନି ୬୪ କଂପାନି 

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାରେ ଜାତୀୟ କଂପାନି ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) କଡ଼ା ଆଭିମୁଖ୍ୟ ପୋଷଣ କରିଛି। ନିରବ ମୋଦି, ମେହୁଲ ଚୋକ୍‌ସି ଓ ସେମାନଙ୍କ ସହ ଜଡ଼ିତ ୬୪ଟି କଂପାନି ସେମାନଙ୍କ ସଂପତ୍ତି ବିକ୍ରି କରିପାରିବେ ନାହିଁ ବୋଲି ଏନ୍‌ସିଏଲ୍‌ଟି ନିର୍ଦେଶ ଦେଇଛି। ଏହି କଂପାନି ଗୁଡ଼ିକ ମଧ୍ୟରେ ଗୀତାଞ୍ଜଳି ଜେମ୍‌ସ, ଗିଲି ଇଣ୍ଡିଆ, ନକ୍ଷତ୍ର ବ୍ରାଣ୍ଡ୍‌ସ, ଫାୟାରଷ୍ଟାର ଡାଇମଣ୍ଡ, ସୋଲାର ଏକ୍ସପୋର୍ଟସ ଏବଂ ଷ୍ଟେଲାର ଡାଇମଣ୍ଡ ଆଦି ରହିଛନ୍ତି। ନିରବ ମୋଦି ଓ ମେହୁଲ ଚୋକ୍‌ସି ପିଏନବିର ଅଧିକାରୀଙ୍କ ସହ ସଲାସୁତୁରା କରି ଜାଲ୍‌ ଏଲ୍‌ଓୟୁ ହାତେଇ ୧୨,୭୦୦ କୋଟି ଟଙ୍କା ଠକି ନେଇଛନ୍ତି। ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ସବୁଠାରୁ ବଡ଼ ଠକେଇ କୁହାଯାଉଥିବା ଏହି ମାମଲାର ଖୋଳତାଡ଼ ଏବେ ପ୍ରବର୍ତନ ନିର୍ଦେଶାଳୟ, ସିବିଆଇ ଓ ଗୁରୁତର ଜାଲିଆତି ତଦନ୍ତ କାର୍ଯ୍ୟାଳୟ (ଏସ୍‌ଏଫ୍‌ଆଇଓ) ଆଦି କରୁଛନ୍ତି।

1_yBdrT5zq_xuIAdbx-LQAhw

ତେବେ କଂପାନି ବ୍ୟାପାର ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏନ୍‌ସିଏଲ୍‌ଟି ଉପରୋକ୍ତ ସଂଖ୍ୟକ କଂପାନିର ସଂପତ୍ତି ବିକ୍ରି କଟକଣା ନିର୍ଦେଶନାମା ଜାରି କରିଛନ୍ତି। ନିରବ ମୋଦି, ମେହୁଲ ଚୋକ୍‌ସି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ତେଣୁ ସେମାନଙ୍କ କଂପାନି ସହିତ ସେମାନଙ୍କ ସଂପର୍କୀୟମାନଙ୍କ କଂପାନି ଗୁଡ଼ିକର ସଂପତ୍ତି ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି। କଂପାନି ଆଇନ-୨୦୧୩ର ବିଭିନ୍ନ ଧାରା ଅନୁଯାୟୀ କଂପାନି ବ୍ୟାପାର ମନ୍ତ୍ରାଳୟ ଏନ୍‌ସିଏଲ୍‌ଟିର ଆବେଦନ କରିଥିଲା। ଏହି ଆବେଦନକୁ ଭିତ୍ତିକରି ଏନ୍‌ସିଏଲ୍‌ଟି ଏମାନଙ୍କ ୬୪ଟି କଂପାନିର ସଂପତ୍ତି ବିକ୍ରି ଉପରେ କଟକଣା ଜାରି କରିଛି।

୨୬ରେ ପରବର୍ତୀ ଶୁଣାଣି 

ଏନ୍‌ସିଏଲ୍‌ଟିର ମୁମ୍ବାଇ ଖଣ୍ଡପୀଠ ଗତ ମାସ ୨୩ ତାରିଖରେ କଂପାନି ବ୍ୟାପାର ମନ୍ତ୍ରାଳୟର ଆବେଦନ ଉପରେ ଜରୁରି ଶୁଣାଣି କରି ଏହି ଏକପାଖିଆ ରାୟ ଦେଇଛନ୍ତି। ପୁନଃଆଦେଶ ପର୍ଯ୍ୟନ୍ତ ଏମାନେ କଂପାନି ବିକ୍ରି ବା ହସ୍ତାନ୍ତର ଆଦି କରି ପାରିବେ ନାହିଁ ବୋଲି କୁହାଯାଇଛି। ଏନ୍‌ସିଏଲ୍‌ଟି ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୬ ତାରିଖରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ସେହିଦିନ ଅଦାଲତରେ ହାଜର ହେବା ପାଇଁ ଏସବୁ ସଂସ୍ଥା ଗୁଡ଼ିକୁ କୁହାଯାଇଛି। ଯଦି ସେଦିନ କଂପାନି ଗୁଡ଼ିକ ହାଜର ହେବାରେ ବିଫଳ ହୁଅନ୍ତି ତା’ହେଲେ ମାମଲାର ଏକପାଖିଆ ଶୁଣାଣି ହେବ ବୋଲି କୁହାଯାଇଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂପାନି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗତମାସରେ ୧୧୦ଟି କଂପାନିର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏଥିରେ କେତେକ ତାଲିକାଭୁକ୍ତ କଂପାନି ରହିଥିବାବେଳେ ନିରବ ଓ ମେହୁଲଙ୍କ ସହ ସଂପର୍କ ଥିବା ପ୍ରାୟ ୧୦ଟି ଲିମିଟେଡ ଲାଏବିଲିଟି ପାର୍ଟନରସିପ୍‌ କଂପାନି ରହିଛନ୍ତି।