ପୋଲିସ୍ ମାଓ ଗୁଳି ବିନିମୟ : ୨ ଯବାନ ସହିଦ

0
923

ମାଲକାନଗିରି: ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଡର ଗଜେନ୍ଦ୍ର ସିଂ ଓ କନଷ୍ଟେବଳ ଅମରେଶ କୁମାର। ଗଜେନ୍ଦ୍ରଙ୍କ ଘର ହରିୟାଣାର ହୋଇଥିବା ବେଳେ ଅମରେଶଙ୍କ ଘର ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି। ଗତକାଲି କାଙ୍କେର ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ମିଳିତ ଭାବେ କମ୍ବିଂ ଚଳାଇଥିବା ବେଳେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ସେପଟେ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ମାଛକୁଣ୍ଡ ଥାନା ଅନ୍ତର୍ଗତ ଚିଲିବା ଜଙ୍ଗଲରେ ଗତକାଲି ରାତିରେ ବିଏସଏଫ ଜବାନମାନେ କମ୍ବିଂ ଅପରେସନ୍ ଚଳାଇଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ କରିଛନ୍ତି । ବିଏସଏଫ ଜବାନମାନେ କ୍ୟାମ୍ପ ନିକଟରେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ । ସେଠାରୁ ବିଏସଏଫ କମ୍ବିଂ ଅପରେସନ୍ ଟିମ୍ ୨ଟି ଏସଏଲଆର ବନ୍ଧୁକ, ୯ଟି ଡିଟୋନେଟର, ବିପୁଳ ପରିମାଣର ଇଲେକ୍ଟ୍ରିକ୍ ତାର, ମାଓବାଦୀଙ୍କ ପୋଷାକ, ଔଷଧ ଓ ମାଓ ପୁସ୍ତିକା ଜବତ କରିଛନ୍ତି ।