ଭୁବନେଶ୍ୱର : ମୁଖ୍ୟ ନ୍ୟାୟାଧୀଶଙ୍କର ବିରୋଧରେ ମିଳିତ ଭାବେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ସମେତ କିଛି ବିରୋଧୀ ଦଳ। ଶୁକ୍ରବାର ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ମହାଭିଯୋଗ ସମ୍ପର୍କିତ ନୋଟିସ୍ ଦେଇଛି କଂଗ୍ରେସ।
ମୁଖ୍ୟ ନ୍ୟାୟାଧୀଶଙ୍କର ବିରୋଧରେ ମହାଭିଯୋଗ , ଭାରତ ଇତିହାସରେ ପୁଣି ଏକ କଳଙ୍କିତ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ନ୍ୟାୟପାଳିକାରେ ଚାଲିଥିବା ଅସନ୍ତୋଷ ପୂର୍ବରୁ ଫୁଟି ବାହାରିଛି। ଶୁକ୍ରବାର ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ମହାଭିଯୋଗ ସମ୍ପର୍କିତ ନୋଟିସ୍ ଦେଇଛି କଂଗ୍ରେସ। ରାଜ୍ୟସଭା ପରିସରରେ ଥିବା କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ କକ୍ଷରେ ସକାଳେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ କଂଗ୍ରେସ ସମର୍ଥକ ଦଳ ରହିଛନ୍ତି। ବୈଠକର ନିଷ୍ପତ୍ତି ମୁତାବକ ଉପରାଷ୍ଟ୍ରପତିଙ୍କୁ ମହାଭିଯୋଗ ନୋଟିସ୍ ପ୍ରଦାନ କରାଯାଇଛି। ଏହାକୁ ସମର୍ଥନ ଦେଇଛନ୍ତି ୭ଟି ରାଜନୈତିକ ଦଳ। ଅଭିଯୋଗପତ୍ରରେ ରହିଛି ୭୧ ଜଣ ସାଂସଦଙ୍କ ସ୍ୱାକ୍ଷର ।
ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧି। ସେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ୨୦୧୪ରେ ସରାବୁଦ୍ଧିନ୍ ଏନ୍କାଉଣ୍ଟର ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଯାହାର ବିଧିବଦ୍ଧ ତଥା ନିରପେକ୍ଷ ତଦନ୍ତ ଲାଗି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପିଆଇଏଲ୍ ଦାଖଲ କରାଯାଇଥିଲା। ସୁପ୍ରିମ୍ କୋର୍ଟରେ ଏହି ଘଟଣାର ଶୁଣାଣି କରୁଥିବା ବେଞ୍ଚର ମୁଖ୍ୟ ଥିଲେ ଜଷ୍ଟିସ୍ ଦୀପକ ମିଶ୍ର। ମିଶ୍ର ଦେଇଥିବା ରାୟରେ ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି କୁହାଯାଇଥିଲା। ଯାହାକୁ ନେଇ ପୂର୍ବରୁ ଅସନ୍ତୁଷ୍ଟ ଥିଲା କଂଗ୍ରେସ। ଏବଂ ଏହି କାରଣରୁ ସେ ମାନ୍ୟବର ମୁଖ୍ୟ ନ୍ୟାୟାଧୀଶଙ୍କ ବିରୋଧରେ ମହାଭିଯୋଗ ଆଣିବ ବୋଲି ସୂଚନା ଦେଇଥିଲା। ଲୋୟାଙ୍କ ମୃତ୍ୟୁ ପରେ ଏହାର ଯାଞ୍ଚ ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଦାବି ଉପସ୍ଥାପନ କରିଥିବା ସମସ୍ତ ଦଳୀୟ ନେତା ଆଜି ଆଜାଦ୍ଙ୍କ ବୈଠକରେ ଏକାଠି ହୋଇଥିଲେ।