ବାଲେଶ୍ୱର : ବାଲେଶ୍ୱରରେ ରେଳ ଧାରଣାରେ ଫାଟ । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଖଡ଼ଗପୁର ଫାଷ୍ଟ ପାସେଞ୍ଜର।
ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ବିନା ଇଞ୍ଜିନରେ ଟ୍ରେନ୍ ଗଡ଼ିଯିବା ଘଟଣା ମନରୁ ଲିଭିନଥିବା ବେଳେ ପୁଣି ବାଲେଶ୍ୱରରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଛି। ଖଡ଼ଗପୁର-ଭୁବନେଶ୍ୱର ଅପଲାଇନରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଖଡ଼ଗପୁର ଫାଷ୍ଟ ପାସେଞ୍ଜର।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ରେଳବାଇର ସମୟ ଅନୁସାରେ ଖଡ଼ଗପୁର ଫାଷ୍ଟ ପାସେଞ୍ଜର ଖଡ଼ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବାଲେଶ୍ୱର ବାହାନଗା ବ୍ଲକ କେଶପୁର ନିକଟରେ ଲାଇନରେ ଫାଟ ସୃଷ୍ଟି ହୋଇଥିବା ରେଲୱେ କର୍ମଚାରୀ ଜାଣି ରେଳ ବିଭାଗକୁ ଖବର ଦେଇଥିଲେ। କ୍ରମେ ବିଭାଗୀୟ କର୍ମଚାରୀ ଟ୍ରେନଟିକୁ ଅଟକିବାକୁ ସଙ୍କେତ ଦେଇଥିଲେ। ଫଳରେ ବାହାନଗା-ସୋର ଷ୍ଟେସନ ମଝିରେ ଟ୍ରେନଟି ଅଟକି ରହିଥିଲା। ଫାଟ ଦୂର କରିବା ପାଇଁ ରେଲୱେ କର୍ମଚାରୀ ଯାଞ୍ଚ କରିବା ପରେ ଫାଷ୍ଟ ପାସେଞ୍ଜର ଛାଡିବା ନେଇ ସୂଚନା ମିଳିଛି। ତେବେ ଏହି ଟ୍ରେନ୍ ବିଳମ୍ବରେ ଚାଲିବା ନେଇ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଆଗୁଆ ସୂଚିତ କରି ଦିଆଯାଇଥିଲା।