ଫିକା ପଡ଼ିପାରେ ଆଇପିଏଲ ୧୧ ସଂସ୍କରଣର ଚମକ

0
883

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦ୍ଵାରା ନିଯୁକ୍ତ ପ୍ରଶାସକ ସମିତି(ସିଓଏ) ଏହାର ଉଦଘାଟନ ସମାରୋହ ଉପରେ ହସ୍ତକ୍ଷେପ କରିବା ପରେ ଫିକା ପଡ଼ିପାରେ ଆଇପିଏଲ ୧୧ ସଂସ୍କରଣର ଚମକ । ଆଇପିଏଲର ୧୧ତମ ସଂସ୍କରଣର ଉଦଘାଟନ ସମାରୋହ ପ୍ରଥମେ ଏପ୍ରିଲ ୬ରେ ମୁମ୍ବାଇର କ୍ରିକେଟ୍ କ୍ଲବ ଅଫ ଇଣ୍ଡିଆ(ସିସିଆଇ)ରେ ହେବାର ଥିଲା। ମାତ୍ର ଏବେ ଏପ୍ରିଲ ୭ରେ ଏହି ସଂସ୍କରଣର ପ୍ରଥମ ମ୍ୟାଚ୍ ପୂର୍ବରୁ ଉଦଘାଟନ ସମାରୋହ ଓ୍ଵାଙ୍ଖେଡା ଷ୍ଟାଡିୟମରେ ହେବ। ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପୂର୍ବରୁ ଉଦଘାଟନ ସମାରୋହକୁ ମ୍ୟାଚ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆୟୋଜନ କରିବାକୁ ଯୋଜନା କରିଥିଲେ। କୁହାଯାଉଥିଲା ଯେ କେବଳ ବଲିଉଡ ନୁହେଁ ହଲିଉଡର ସେଲିବ୍ରିଟ ମଧ୍ୟ ଉଦଘାଟନୀ ସମାରୋହରେ ଯୋଗ ଦେବେ। ମାତ୍ର ସିଓଏ ଏହି ବ୍ୟୟବହୂଳ ସମାରୋହରେ ଆମୂଳଚୂଳ ପରିବର୍ତ୍ତନ କରି ଦେଇଛି।

ipl logo

ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଚଳିତ ବର୍ଷର ନିଲାମୀ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଏହି ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ଅଧିକ ରଙ୍ଗୀନ ଏବଂ ଅଧିକ ରୋମାଞ୍ଚକର ଭାବେ ଆୟୋଜନ କରାଯିବ। ମାତ୍ର ବିସିସିଆଇର ପଦାଧିକାରୀ କହିଛନ୍ତି ଯେ ସିଓଏ ଚାହୁଁନାହିଁ ଯେ ଉଦଘାଟନ ସମାରୋହରେ ୫୦ କୋଟି ଟଙ୍କା ଖର୍ଚ୍ଚ ହେଉ। ଏଥିପାଇଁ ସିଓଏ ସମାରୋହକୁ ଉଦଘାଟନୀ ମ୍ୟାଚ୍ ଦିନ ହିଁ କରିବାକୁ ଯୋଜନା କରିଛି। ଏହା ଦ୍ଵାରା ସମୟ ଏବଂ ଅର୍ଥ ଉଭୟ ବଞ୍ଚିଯିବ। ଏପ୍ରିଲ ୭ରେ ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ସଂସ୍କରଣର ଫାଇନାଲ ମ୍ୟାଚ୍ ମେ ୨୭ରେ ଓ୍ଵାଙ୍ଖେଡ଼ା ଷ୍ଟାଡିୟମରେ ଖେଳାଯିବ। ୮ଟି ଦଳକୁ ନେଇ ହେବାକୁ ଥିବା ଆଇପିଏଲର ୧୧ ତମ ସଂସ୍କରଣରେ ମୋଟ୍ ୬୦ଟି ମ୍ୟାଚ୍ ୯ଟି ଷ୍ଟାଡିୟମରେ ଖେଳାଯିବ।

ପ୍ରଥମ ଥର ହେବ ଡିଆରଏସ ଲାଗୁ

ଆଇପିଏଲ ୨୦୧୮ ଏ ପର୍ୟ୍ୟନ୍ତର ସବୁ ସଂସ୍କରଣଠୁ ଭିନ୍ନ ହେବାକୁ ଯାଉଛି। ବିସିସିଆଇ ଚଳିତ ସଂସ୍କରଣରେ ଅମ୍ପାୟାର ସମୀକ୍ଷା ପ୍ରଣାଳୀ(ଡିଆରଏସ)କୁ ଲାଗୁ କରିବାର ସବୁଜ ସଙ୍କେତ ଦେଇ ସାରିଛି। ଡିଆରଏସ ଆଇପିଏଲରେ ପ୍ରଥମ ଥର ପ୍ରୟୋଗ ହେବ। ବିସିସିଆଇ ଅନେକ ବର୍ଷରୁ ଡିଆରଏସକୁ ବିରୋଧ କରି ଆସୁଥିଲା। ମାତ୍ର ଏବେ ନିଜର ଏହି ମହତ୍ଵପୂର୍ଣ୍ଣ ଲିଗରେ ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଛି।