ଫେରାର ହତ୍ୟାକାରୀକୁ ୨୩ ବର୍ଷ ପରେ ଧରିଲା ସିବିଆଇ

0
813
fled accused arrested by cbi
fled accused arrested by cbi
ଯାଜପୁର :  ସିବିଆଇ ହେପାଜତରୁ ଫେରାର ହୋଇଯାଇଥିବା  ଜଣେ ହତ୍ୟାକାରୀକୁ ସିବିଆଇ ଗିରଫ କରିଛି ।  ଦୀର୍ଘ ୨୩ ବର୍ଷ ପରେ ଯାଜପୁରର କାଳିଆପାଣିରେ ଘଟିଥିବା ଏକ ହତ୍ୟା ଘଟଣାରେ ଫେରାର ଥିବା ଜଣେ ହତ୍ୟାକାରୀକୁ ସିବିଆଇ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ହେଲେ କଳିଙ୍ଗନଗରର ରଣାଗୁଣ୍ଡି ଗ୍ରାମର ଗଜେନ୍ଦ୍ର ମହନ୍ତ । ଗଜେନ୍ଦ୍ରକୁ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱରରୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ କୋର୍ଟ ଚାଲାଣ କରାଯିବାର ସୂଚନା ରହିଛି । କ୍ରୋମ ଭ୍ୟାଲିର ଶ୍ରମିକ ଶ୍ୟାମପଦର ରାଉତଙ୍କ ହତ୍ୟା ମାମଲାରେ ଗଜେନ୍ଦ୍ର ଗିରଫ ହୋଇଥିଲା । ୧୯୯୫ ମସିହାରେ ଗଜେନ୍ଦ୍ର ସିବିଆଇ ହେପାଜତରୁ ଫେରାର ହୋଇଯାଇଥିଲା । ସେ ହରିୟାଣାରେ ଦରିଆ ସିଂ ଡିଲୋ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଆତ୍ମଗୋପନ କରିଥିଲା । ଯାହାର ଟେର୍‌ ସିବିଆଇକୁ ମିଳିଥିଲା । କିନ୍ତୁ ଗଜେନ୍ଦ୍ର ଏହା ଜାଣି ପାରି ହରିୟାଣାରୁ ବାଲେଶ୍ୱରକୁ ପଳାଇଆସିଥିଲା । ଗତକାଲି ରାତି ପ୍ରାୟ ୩ଟା ସମୟରେ ବାଲେଶ୍ୱର ଷ୍ଟେସନ ନିକଟରୁ ତାକୁ ଗିରଫ କରିବାରେ ସିବିଆଇ ସଫଳ ହୋଇଛି । ଗଜେନ୍ଦ୍ରକୁ ଭୁବନେଶ୍ୱର ସିବିଆଇ କାର୍ୟ୍ୟାଳୟକୁ ଅଣାଯାଇ ଜେରା କରାଯାଇଛି । ଏହା ପରେ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରାଯିବାର ସୂଚନା ରହିଛି ।  ଏଠାରେ ଉଲ୍ଲେଖ ଯୋଗ୍ୟ, ୧୯୯୩ ଜୁଲାଇ ୨୫ରେ ସୁକିନ୍ଦା କାଳିଆପାଣିରେ କ୍ରୋମ ଭ୍ୟାଲିର ଶ୍ରମିକ ଶ୍ୟାମପଦ ରାଉତଙ୍କୁ ହତ୍ୟା କରାଯାଇଥିଲା । ଏ ନେଇ ମୋଟ ୧୯ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା ଏବଂ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଓ ଶ୍ରମିକ ନେତା ସମ୍ରାଟ ଗୁପ୍ତାଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏଥିରେ ୧୧ ଜଣଙ୍କୁ ଗିରଫ କରାଯାଇଥିଲା । ୧୯୯୫ ମସିହାରେ ଗଜେନ୍ଦ୍ରକୁ ଗିରଫ କରାଯାଇଥିବାବେଳେ ସେ ସିବିଆଇ ହେପାଜତରୁ ଖସି ପଳାଇ ଯାଇଥିଲା । ସେହିଦିନ ଠାରୁ ହତ୍ୟାକାରୀଙ୍କୁ ସିବିଆଇ ଖୋଜୁଥିବାବେଳେ ଗତକାଲି ସେ ଧରାପଡିଥିବା ସୂଚନା ମିଳିଛି ।