ବମିଖାଲ ଓଭର ବ୍ରିଜ୍‌ : କାମ ହାତକୁ ନେଲେ ସରକାର

0
835
fly over
fly over

ଭୁବନେଶ୍ୱର: ନିର୍ମାଣଧୀନ ବମିଖାଲ ଓଭରବ୍ରିଜ ଭୁଷୁଡ଼ିବା ଘଟଣାରେ ଠିକାସଂସ୍ଥା ପଣ୍ଡା ଇନଫ୍ରାକୁ ପୂର୍ତ୍ତ ବିଭାଗ ସଂପୂର୍ଣ୍ଣ ଦାୟୀ କରିଛି ଚୂଡ଼ାନ୍ତ ରିପୋର୍ଟ । ବମିଖାଲ ଓଭରବ୍ରିଜ ସହିତ ଅନ୍ୟ ଓଭର ବ୍ରିଜ୍‌ ନିର୍ମାଣ କାର୍ଯ୍ୟରୁ ମଧ୍ୟ ପଣ୍ଡା ଇନଫ୍ରାକୁ ନିବୃତ୍ତ କରାଯାଇଛି । ଆଜି ହସ୍ତଗତ ହୋଇଥିବା ତଦନ୍ତ ରିପୋର୍ଟକୁ ଆଧାର କରି ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ବମିଖାଲ ଓଭରବ୍ରିଜ ଭୁଷୁଡ଼ିବା ଘଟଣାରେ ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ଅନ୍ତର କରାଯାଇଛି । ଏହା ସହିତ କାମ ଶେଷ କରିବାର ଦାୟିତ୍ୱ ନେଇଛନ୍ତି ଖୋଦ ସରକାର । ବମିଖାଲ ଓଭରବ୍ରିଜ୍‌ ଭୁଷୁଡ଼ିବା ଘଟଣାରେ ଆଜି ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ଏହି ଘଟଣାରେ ଠିକାସଂସ୍ଥା ପଣ୍ଡା ଇନଫ୍ରାକୁ ପୂର୍ତ୍ତ ବିଭାଗ ସଂପୂର୍ଣ୍ଣ ଦାୟୀ କରିଛି । ସଂସ୍ଥା ଅଣକୁଶଳୀ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବେଳେ ସେମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଅନ୍ୟପକ୍ଷରେ ଲିଙ୍ଗରାଜ ଓଭରବ୍ରିଜ ନିର୍ମାଣ ଦାୟିତ୍ୱରୁ ମଧ୍ୟ ପଣ୍ଡା ଇନଫ୍ରାକୁ ବାଦ ଦିଆଯାଇଥିବା ବେଳେ ସମ୍ବଲପୁର ଓ ଜଟଣୀ ବ୍ରିଜ ପାଇଁ ନୂଆ ଟେଣ୍ଡର ହେବା ନେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଅଧା ରହିଥିବା ବମିଖାଲ ଓଭରବ୍ରିଜ ନିର୍ମାଣ କାମ ୨ ମାସ ମଧ୍ୟରେ ରାଜ୍ୟ ସରକାର ସଂପୂର୍ଣ୍ଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।

ସେପଟେ ପଣ୍ଡା ଇନଫ୍ରାର ଅନ୍ୟତମ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀଙ୍କୁ କମିଶନରେଟ ପୋଲିସ ଆଜି ଗିରଫ କରିଛି । ପୂର୍ବରୁ ପଣ୍ଡା ଇନଫ୍ରା ଏମଡି ପ୍ରତାପ ପଣ୍ଡା ଗିରଫ ହୋଇଥିଲେ । ଆଗାମୀ ଦିନରେ ଗିରଫଦାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି । ଗତ ମେ ୩ ତାରିଖ ରାତିରେ ବ୍ରିଜ୍‌ ଭୁଷୁଡ଼ିବା କାରଣରୁ ଜଣେ କାର୍ଯ୍ୟରତ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ମଧ୍ୟ ବ୍ରିଜ୍‌ ଭୁଷୁଡ଼ି ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଥିଲା ।