ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ

0
949
କଲୋମ୍ବୋ: ପ୍ରଥମେ ବୋଲରଙ୍କ ସାମୂହିକ ପ୍ରଦର୍ଶନ ଏବଂ ପରେ  ଶିଖର ଧାଓ୍ଵନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଇଥିବା ନିଦହାସ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତ ବାଂଲାଦେଶରକୁ  ୬ଓ୍ଵିକେଟରେ ପରାସ୍ତ କରିଛି। ଏଥିସହିତ ଭାରତ ସିରିଜରେ ପ୍ରଥମ ବିଜୟ ହାସଲ କରିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୩୯ ରନ କରିଥିଲା। ଜବାବରେ ଭାରତ ବାଂଲାଦେଶ ଦ୍ଵାରା ଧାର୍ୟ୍ୟ ୧୪୦ ରନର ବିଜୟ ଲକ୍ଷ୍ୟକୁ ଧାଓ୍ଵନଙ୍କ  ୫୫ ରନର ମ୍ୟାଚ୍ ବିଜୟୀ ପାଳି ବଳରେ ୧୮.୪ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସୁରେଶ ରୈନା(୨୮)ଓ ମନୀଷ ପାଣ୍ଡେ ଅପରାଜିତ ୨୭ ରନର ଉପଯୋଗୀ ପାଳି ଖେଳିଛନ୍ତି। ୧୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଓ ଧାଓ୍ଵନ ୩.୩ ଓଭରରେ  ପ୍ରଥମ ଓ୍ଵିକେଟରେ ୨୮ ରନ ଯୋଡିଥିଲେ। ଏହି ସ୍କୋରରେ ରୋହିତ ୧୩ ବଲରୁ ୧୭ ରନ କରି ମୁସ୍ତାଫିଜୁରଙ୍କ ବଲରେ କ୍ଲିନବୋଲ୍ଡ ହୋଇଥିଲେ। ତୃତୀୟରେ ବ୍ୟାଟିଂ କରିବାକୁ ଆସିଥିବା ରୁଷଭ ପନ୍ତ(୭) କିଛି ଖାସ କରିନପାରି ରୁବେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ୪୦ ରନରେ ଦୁଇଟି ଓ୍ଵିକେଟ୍ ହରାଇବା ପରେ ଶିଖର ଓ ରୈନା ଦଳର ସ୍କୋରକୁ ଆଗେଇ ନେଇଥିଲେ। ଏହି ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟରେ  ୬୮ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ।  ଏହି କ୍ରମରେ ୧୦୮ ରନ ସ୍କୋରରେ କ୍ରିଜରେ ଜମି ରହିଥିବା ସୁରେଶ ରୈନା  ରୁବେଲଙ୍କ ବଲରେ ଆଉଟ୍ ହୋଇଥିଲେ।  ରୈନା ୨୮ ରନର ଉପଯୋଗ ପାଳି ଖେଳିଥିଲେ। ଗୋଟିଏ ପଟେ ପାଳିକୁ ସମ୍ଭାଳିଥିବା ଧାଓ୍ଵନ ଦଳୀୟ ସ୍କୋର ୧୨୩ ସ୍କୋରରେ ତସ୍କିନ ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ଧାଓ୍ଵନ ଟି-୨୦ କ୍ୟାରିୟରରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ଟି ବଲରୁ ୫ଟି ଚୌକା ଓ ୨ଟି ଛକା ଜରିଆରେ ୫୫ ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ବାକି ଔପଚାରିକତା କାମ ମନୀଷ ପାଣ୍ଡେ ଓ  ଦିନେଶ କାର୍ତ୍ତିକ ପୂରଣ କରିଥିଲେ। ମନୀଷ  ଶେଷ ପର୍ୟ୍ୟନ୍ତ ୨୭ ରନ କରି ଅପରାଜିତ ଥିଲେ। ପାଣ୍ଡେ ଗତ ମ୍ୟାଚ୍ ପରି ଏହି ମ୍ୟାଚରେ ମଧ୍ୟ ଉଲ୍ଲେଖନୀୟ ୨୮ ରନର ଅପରାଜିତ ପାଳି ଖେଳିଛନ୍ତି। ବାଂଲାଦେଶ ପକ୍ଷରୁ ରୁବେଲଙ୍କୁ ୨ଟି, ମୁସ୍ତାଫିଜୁର ଓ ତସ୍କିନ ଅହମ୍ମଦଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।

ବାଂଲାଦେଶ ପାଳି

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ଓ୍ଵିକେଟ୍ ୨୦ ରନର ସ୍କୋରରେ ହରାଇଥିଲା। ଉନାଦକତ ସୌମ୍ୟ ସରକାର(୧୪)ଙ୍କୁ ଚହଲଙ୍କ ହାତରେ କ୍ୟାଚ୍ କରାଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହି କ୍ରମରେ ବାଂଲାଦେଶ ୩୫ ରନରେ ତମିମ(୧୫),  ୬୬ରନରେ ମୁସଫିକର ରହିମ(୧୮) ଓ ୭୭ ରନରେ ଅଧିନାୟକ ମହମୁଦୁଲ୍ଲା(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ବାଂଲାଦେଶ ପାଳିରେ  କୌଣସି ଓ୍ଵିକେଟରେ ବଡ଼  ଭାଗିଦାରି ଦେଖିବାକୁ ମିଳିନଥିଲା। ୭୭ ରନରେ ୪ ଓ୍ଵିକେଟ୍ ହରାଇବା ପରେ  ଲିଟନ ଦାସ ଓ ସବିର ରହମାନଙ୍କ ମଧ୍ୟରେ ପଞ୍ଚମ ଓ୍ଵିକେଟରେ ୩୫ ରନ ଭାଗିଦାରୀ ହୋଇଥିଲା। କ୍ରିଜରେ ଜମି ରହିଥିବା ଲିଟନ ଦାସ ୩୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସବିର ରହମାନ ୩୦ ରନର ଉପଯୋଗୀ ପାଳି ଖେଳି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ବାଂଲାଦେଶ ପାଳିରେ ଲିଟନ ଦାସ(୩୪) ଓ ସବିର ରହମାନ(୩୦)ଙ୍କୁ ବାଦ ଦେଲେ ବାକି ବ୍ୟାଟସମ୍ୟାନ ବିଫଳ ହୋଇଥିଲେ। ଭାରତ ପକ୍ଷରୁ ଉନାଦକତ ୩୮ ରନ ଦେଇ ୩ଟି, ବିଜୟ ଶଙ୍କର  ୩୨ ରନ ଦେଇ ୨ଟି ସଫଳତା ପାଇଥିବା ବେଳେ  ଶାର୍ଦ୍ଦୁଳ ଠାକୁର ଓ ଚହଲଙ୍କୁ ଗୋଟିଏ ସଫଳତା ମିଳିଥିଲା।